ହାଇଦ୍ରାବାଦ,୩।୩: ଆନ୍ଧ୍ରପ୍ରଦେଶର ୨୧ ବର୍ଷୀୟ ତପାଲା ନାଦମୁନି ଏକ ନିଆରା କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି। ଚିତ୍ତୁର ଜିଲାର ଏକ ଛୋଟ ଗାଁର ଏହି ଯୁବକ ବିଶ୍ୱର ସବୁଠାରୁ ଛୋଟ ଭାକ୍ୟୁମ କ୍ଲିନର୍ ନିର୍ମାଣ କରିଛନ୍ତି ଏବଂ ଏହି କାରଣରୁ ତାଙ୍କ ନାମ ଗିନିଜ ୱାଲର୍ଡ ରେକର୍ଡରେ ଲିପିବଦ୍ଧ ହୋଇଛି। ନାଦମୁନି ପିଲାଦିନରୁ ଦକ୍ଷ। ସବୁବେଳେ ସେ କିଛି ଅନନ୍ୟ କାର୍ଯ୍ୟ କରୁଥିଲେ ଏବଂ ତାଙ୍କ ପ୍ରତିଭା ହେତୁ ସେ ଆନ୍ଧ୍ରପ୍ରଦେଶର ସମ୍ମାନଜନକ ନିଟ୍ (ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି)ରେ ପଢିବାର ସୁଯୋଗ ପାଇଥିଲେ। ସେ ନିର୍ମାଣ କରିଥିବା ନୂତନ ଭାକ୍ୟୁମ କ୍ଲିନର୍ ମାତ୍ର ୧.୭ ସେଣ୍ଟିମିଟର/୦.୭ ଇଞ୍ଚ। ତପାଲା ନାଦମୁନି କହିଛନ୍ତି, ମୁଁ ଲକଡାଉନ ସମୟରେ ଏହି ଭାକ୍ୟୁମ କ୍ଲିନର୍ ପ୍ରସ୍ତୁତ କରିଥିଲି ଏବଂ ସେବେଠାରୁ ମୁଁ ଆନୁଷ୍ଠାନିକ ଭାବରେ ଗିନିଜ ବୁକ୍ରେ ରହିବାକୁ ଚେଷ୍ଟା କରୁଥିଲି ଏବଂ ଶେଷରେ ମୁଁ ଏଥିରେ ସଫଳ ହୋଇଥିଲି। ଗିନିଜ ରେକର୍ଡରେ ସ୍ଥାନ ପାଇ ମୁଁ ବହୁତ ଖୁସି। ଏହି ସଫଳତା ହାସଲ କରିବାରେ ମୋର ଶିକ୍ଷକ ଏବଂ ଅଭିଭାବକମାନେ ମୋତେ ବହୁତ ସାହାଯ୍ୟ କରିଥିବା ସେ କହିଛନ୍ତି। ସେ ଏହାପୂର୍ବରୁ ୨.୨ ସେମି/୦.୯ ଇଞ୍ଚର ଭାକ୍ୟୁମ୍ କ୍ଲିନର୍ ପ୍ରସ୍ତୁତ କରିଥିଲେ।