୨୨ବର୍ଷର ଲୁଚକାଳି ଶେଷ

ଭୁବନେଶ୍ୱର(ବ୍ୟୁରୋ)/ କଟକ ଅଫିସ୍‌,୨୩।୨(ବ୍ୟୁରୋ):  ଶେଷ ହୋଇଛି ୨୨ବର୍ଷର ଲୁଚକାଳି ଖେଳ। ୧୯୯୯ ଜାନୁୟାରୀ ୯ତାରିଖ ରାତିରେ ଅଞ୍ଜନା ମିଶ୍ରଙ୍କୁ ଗଣବଳାତ୍କାର କରି ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳଙ୍କୁ କମିଶନରେଟ ପୋଲିସ ଗିରଫ କରିଛି। ନିଜ ନାମ ଓ ପରିଚୟ ପରିବର୍ତ୍ତନ କରି ମହାରାଷ୍ଟ୍ର ଆମ୍ବିଭ୍ୟାଲିରେ ରହୁଥିବା ବିବନଙ୍କୁ ସିବିଆଇ କୋର୍ଟରେ ହାଜର କରାଯାଇଛି। ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇଦିଆଯାଇଛି। ବିଳମ୍ବରେ ହେଲେ ବି ପୋଲିସର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ପୀଡ଼ିତା ଅଞ୍ଜନା।
କଟକ ଡିସିପି କାର୍ଯ୍ୟାଳୟରେ ଆୟୋଜିତ ଏକ ଖବରତାଦା ସମ୍ମିଳନୀରେ ପୋଲିସ କମିଶନର(ସିପି) ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇ କହିଛନ୍ତି ଯେ, ୧୯୯୯ ଜାନୁୟାରୀ ୯ରେ ଜଣେ ସାମ୍ବାଦିକ ବନ୍ଧୁଙ୍କ ସହ ଅଞ୍ଜନା ଭୁବନେଶ୍ୱରରୁ କଟକ ଯାଉଥିବାବେଳେ ବାରଙ୍ଗ ନିକଟରେ
୩ଜଣ ଅଭିଯୁକ୍ତ ସେମାନଙ୍କୁ ଅଟକାଇ ମାରଣାସ୍ତ୍ର ଦେଖାଇବା ସହ ଗଣବଳାତ୍କାର କରିଥିଲେ। ଉକ୍ତ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ପ୍ରଦୀପ ସାହୁ ଓରଫ ପଦିଆ ଏବଂ ଧୀରେନ୍ଦ୍ର ମହାନ୍ତି ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ପାଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଫେରାର ଥିଲେ। ଉକ୍ତ ଘଟଣାର ତଦନ୍ତ ସିବିଆଇ କରୁଥିଲେ ମଧ୍ୟ ବିବନଙ୍କୁ ଗିରଫ କରିବାରେ ସଫଳ ହୋଇପାରି ନ ଥିଲା। ଶେଷରେ କମିଶନରେଟ୍‌ ପୋଲିସ ଅପରେଶନ୍‌ ‘ସାଇଲେଣ୍ଟ ଭାଇପର’ ମାଧ୍ୟମରେ ମହାରାଷ୍ଟ୍ର ଆମ୍ବିଭ୍ୟାଲିରୁ ତାଙ୍କୁ ଗିରଫ କରିଥିଲା। ବିବନ ଦୀର୍ଘଦିନ ହେବ ସେଠାରେ ପରିଚୟ ବଦଳାଇ ଏକ କମ୍ପାନୀରେ ପାଣି ପାଇପ ମିସ୍ତ୍ରିଭାବେ କାର୍ଯ୍ୟ କରୁଥିଲେ। ନିଜକୁ ଜଳନ୍ଧର ସ୍ବାଇଁ ଭାବେ ପରିଚୟ ଦେଇ ସେଠାରେ ରହୁଥିଲେ। ଏନେଇ ବିଶେଷ ସୂତ୍ରରୁ ଖବର ପାଇବା ପରେ ପୋଲିସ କମିଶନର ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏକ ୪ଜଣିଆ ସ୍ପେଶାଲ ଟିମ୍‌ ମହାରାଷ୍ଟ୍ର ପୁଣେ ଆମ୍ବିଭ୍ୟାଲି ଯାଇ ବିବନଙ୍କୁ କାବୁ କରିଥିଲା।
ଅଞ୍ଜନା ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ୨ଜଣଙ୍କ ମଧ୍ୟରୁ ପ୍ରଦୀପଙ୍କ ଗତବର୍ଷ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଅନ୍ୟତମ ଅଭିଯୁକ୍ତ ଧୀରେନ୍ଦ୍ରଙ୍କୁ ୩ମାସ ତଳେ ସିପି ଷଡ଼ଙ୍ଗୀ ଚୌଦ୍ୱାର ଜେଲ୍‌ରେ ଭେଟିଥିଲେ। ସେଠାରେ ଧୀରେନ୍ଦ୍ରଙ୍କ ସହଯୋଗୀ ବିବନଙ୍କୁ ବିକେ(ବାରଙ୍ଗ କିଙ୍ଗ) ନାରେ ଡାକୁଥିବା ଜାଣିବାକୁ ପାଇଥିଲେ। ଏହାପରେ ମୁଖ୍ୟ ଅଭିଯୁକ୍ତ ବିବନଙ୍କୁ ଧରିବା ପାଇଁ ‘ସାଇଲେଣ୍ଟ୍‌ ଭାଇପର’ ନାମକ ଏକ ଅପରେଶନ୍‌ ଆରମ୍ଭ କରାଯାଇଥିଲା। କଟକ ଡିସିପି ପ୍ରତୀକ ସିଂ, ଅତିରିକ୍ତ ଡିସିପି ପ୍ରମୋଦ ରଥ, ଇନ୍ସପେକ୍ଟର ସ୍ପେଶାଲ ସ୍କ୍ବାଡ୍‌ ଅଜୟ କୁମାର ଦାସ ଏବଂ ବାରଙ୍ଗ ପୋଲିସ ଷ୍ଟେଶନ ଆଇଆଇସି ଶଶିକାନ୍ତ ରାଉତଙ୍କୁ ନେଇ ଏକ ୪ଜଣିଆ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। କମିଶନର ବ୍ୟକ୍ତିଗତ ଭାବେ ଏହି ଅପରେଶନର ତଦାରଖ କରିଥିତ୍ଲେ। ତେବେ ତଦନ୍ତରୁ ମୁଖ୍ୟ ଅଭିଯୁକ୍ତ ବିବନ ମୁମ୍ବାଇ-ପୁଣେ ରାସ୍ତାରେ ଲୋନାଭାଲାର ଆମ୍ବିଭ୍ୟାଲିରେ ନାମ ପରିବର୍ତ୍ତନ କରି ଜଳନ୍ଧର ସ୍ବାଇଁ ଭାବେ ରହୁଛନ୍ତି ବୋଲି ଟିମ୍‌ ଜାଣିବାକୁ ପାଇଥିଲା। ସେ ୨୦୦୭ରୁ ସେଠାରେ ରହୁଥିବାବେଳେ ୨୦୧୧ରୁ ସ୍ଥାୟୀ ନିଯୁକ୍ତି ପାଇଛନ୍ତି। ଏମିତିକି ବିବନ ସେଠାରେ ନୂଆ ନାମରେ ସ୍ଥାୟୀ ଚାକିରି, ବ୍ୟାଙ୍କ ଆକାଉଣ୍ଟ ଓ ଆଧାର କାର୍ଡ ମଧ୍ୟ ଖୋଲି ସାରିଥିଲେ। ଚତୁରତାର ସହିତ ପୋଲିସ ଆଖିରେ ଧୂଳି ଦେଇ ବିବନ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗରେ ଥିଲେ। ଏପରି କି ଅନ୍ୟମାନଙ୍କ ମାଧ୍ୟମରେ ପରିବାରକୁ ସୂଚନା ପଠାଇବା ସହ ଟଙ୍କା ମଧ୍ୟ ଦେଉଥିଲେ। ବିବନ ନିଜ ନାମରେ ମୃତ୍ୟୁ ପ୍ରମାଣପତ୍ର କାଢିବାକୁ ପରିବାର ଲୋକଙ୍କୁ ବାରମ୍ବାର ବାଧ୍ୟ କରୁଥିଲେ। ସେ କାମ କରୁଥିବା କମ୍ପାନୀରେ ନିଜ ସ୍ଥାୟୀ ଠିକଣା ନରଣପୁର ଉଲ୍ଲେଖ କରିଥିଲେ। ଏହା ଜାଣିବା ପରେ ଟିମ୍‌ ଭୂ-ଲେଖରେ ଖୋଜିବାରୁ ଜଳନ୍ଧର ସ୍ବାଇଁ ନାମରେ କେହି ନରଣପୁର ଅଞ୍ଚଳରେ ରହୁ ନ ଥିବା ଜାଣିବାକୁ ମିଳିଥିଲା। ଏହାପରେ ବିବନ ବିଶ୍ୱାଳ ହିଁ ଜଲନ୍ଧର ବୋଲି ବିଶ୍ୱାସ ଦୃଢୀଭୂତ ହୋଇଥିଲା। ଏନେଇ ବାଦାମବାଡ଼ି ଆଇଆଇସି ରଶ୍ମି ରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ୍‌ ଫେବୃଆରୀ ୧୯ରେ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲା। ସେଠାରେ ପୁଣେ ଗ୍ରାମୀଣ ପୋଲିସର ଏସ୍‌ପି ଅଭିନାଭ ଦେଶମୁଖ୍‌ ଏବଂ ଏଏସ୍‌ପି ନବନୀତ କାନୱାଟଙ୍କ ସମର୍ଥନରେ ଜଲନ୍ଧରଙ୍କୁ ଖୋଜିବା ପାଇଁ ଓଡ଼ିଶା ପୋଲିସ ଏବଂ ମହାରାଷ୍ଟ୍ର ପୋଲିସର ଏକ ମିଳିତ ଟିମ୍‌ ଗଠନ କରାଯାଇଥିଲା। ଜଳନ୍ଧର ଆମ୍ବିଭ୍ୟାଲିଠାରୁ ପ୍ରାୟ ୨.୫ କିଲୋମିଟର ଦୂରରେ ଅବସ୍ଥିତ ଏକ ଘରେ ରହୁଥିବା ଜାଣିବାକୁ ମିଳିଥିଲା। ପୋଲିସ ତାଙ୍କୁ ଧରିବା ପାଇଁ ସାଦା ପୋଷାକରେ ସେଠାକୁ ଯାଇଥିଲା। ତେବେ ବିବନ ସାଧା ପୋଷାକରେ ଥିବା ପୋଲିସକୁ ଦେଖି ଦୌଡି ପଳାଇବାକୁ ଚେଷ୍ଟା କରିଥିଲେ। ହେଲେ ପୋଲିସ ତାଙ୍କୁ ମାଡି ବସିଥିଲା। ପୋଲିସ ତାଙ୍କୁ କାବୁ କରି ଓଡ଼ିଶା ଆଣିବାପରେ ତାଙ୍କୁ ସାକ୍ଷୀମାନେ ଚିହ୍ନଟ କରିଥିଲେ। ଏନେଇ କମିଶନରେଟ୍‌ ପୋଲିସ ପକ୍ଷରୁ ସିବିଆଇକୁ ସୂଚନା ପଠାଯାଇଛି ବୋଲି କମିଶନର କହିଛନ୍ତି। ଏଥିସହ ସେ କହିଛନ୍ତି ଯେ, ଅଭିଯୁକ୍ତ ବିବନଙ୍କ ଗିରଫ ପାଇଁ ଘୋଷିତ ପୁରସ୍କାର ରାଶିକୁ ‘ସାଇଲେଣ୍ଟ ଭାଇପର’ ଅପରେଶନରେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କୁ ପୁରସ୍କାର ଆକାରରେ ଦେବାକୁ କମିଶନରେଟ୍‌ ପୋଲିସ ସିବିଆଇକୁ ଚିଠି ଲେଖିବ ବୋଲି ସିପି ଷଡ଼ଙ୍ଗୀ କହିଛନ୍ତି।

 

ଅଭିଯୁକ୍ତ ବିବନଙ୍କୁ ଫାଶୀ ଦିଆଯାଉ

ଦୀର୍ଘ ୨୨ବର୍ଷ ପରେ ମୁଖ୍ୟ ଅଭିଯୁକ୍ତଙ୍କୁ କମିଶନରେଟ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଦୀର୍ଘବର୍ଷ ଧରି କଷ୍ଟ ଓ ଯନ୍ତ୍ରଣାରେ କଟିଛି। ତେଣୁ ଅଭିଯୁକ୍ତ ବିବନଙ୍କୁ ଫାଶୀ ଦିଆଯିବା ସହ ମତେ ନ୍ୟାୟ ମିଳୁବୋଲି କହିଛନ୍ତି ବଳାତ୍କାର ପୀଡ଼ିତା ଅଞ୍ଜନା ମିଶ୍ର। ସେ କହିଛନ୍ତି, ନ୍ୟାୟିକ ବ୍ୟବସ୍ଥାରେ ବିଳମ୍ବ ହୋଇଛି। ମାମଲାର ତଦନ୍ତ କରୁଥିବା ସିବିଆଇ ବି ଚୁପ ହୋଇ ବସିପଡ଼ିଥିଲା। ଏବେ ବିବନଙ୍କୁ ଗିରଫ କରିଥିବାରୁ କମିଶନରେଟ ପୋଲିସକୁ ଅଶେଷ ଧନ୍ୟବାଦ। ଘଟଣା ପରେ ତାଙ୍କୁ ବିଭିନ୍ନ ସମୟରେ ମାରିଦେବାକୁ ଚେଷ୍ଟା କରାଯାଇଥିଲା। କାହା ପ୍ରତି ଏଭଳି ଘଟଣା ଘଟିଲେ ତା’ର ଜୀବନ ବରବାଦ ହୋଇଯାଏ। ତେବେ ଏଥିରେ ଭାଙ୍ଗି ନ ପଡ଼ି ଲଢ଼େଇ କରିବାକୁ ବଳାତ୍କାର ପୀଡ଼ିତା ସାହସ କରିବା ଆବଶ୍ୟକ ବୋଲି ଅଞ୍ଜନା କହିଛନ୍ତି।

Share