Categories: Uncategorized

୬ ଫୁଟ ଉପରକୁ ଉଠିବ ୨୫୦ ବର୍ଷର ଜଗନ୍ନାଥ ମନ୍ଦିର

ଗଞ୍ଜାମ(ବିଦ୍ୟାଧର ସାହୁ)/ରମ୍ଭା (ବନବାସୀ ସେଠୀ) ୯।୮: ଅତ୍ୟାଧୁନିକ ପଦ୍ଧତିରେ ୬ ଫୁଟ ଉପରକୁ ଉଠିବ ବହୁ ପୁରାତନ ତଥା ୨୫୦ ବର୍ଷର ଜଗନ୍ନାଥ ମନ୍ଦିର । ଗଞ୍ଜାମ ଜିଲାର ରମ୍ଭାରେ ରହିଛି ପ୍ରାୟ ୨୫୦ରୁ ଊଦ୍ଧର୍‌ବ ବର୍ଷର ପୁରାତନ ଜଗନ୍ନାଥ ମନ୍ଦିର। ଗାଁ ରାସ୍ତା ଦିନକୁ ଦିନ ମରାମତି କରାଯିବା ଫଳରେ ରାସ୍ତା ଉଚ୍ଚତା ବୃଦ୍ଧି ପାଉଛି। ଫଳରେ ଜଗନ୍ନାଥ ମନ୍ଦିରର ଚଟାଣ ସହ ଗାଁର ରାସ୍ତା ଏକ ପ୍ରକାରର ସମାନ ହୋଇଗଲାଣି। ଫଳରେ ଆଗାମୀ ଦିନରେ ବର୍ଷା ପାଣି ମନ୍ଦିରରେ ପ୍ରବେଶ କରିବା ଏକ ପ୍ରକାରର ସୁନିଶ୍ଚିତ। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଗ୍ରାମବାସୀ ଓ ମନ୍ଦିର କମିଟି ଜରୁରୀ ବୈଠକ କରି ମନ୍ଦିରକୁ ଆଉ ୬ ଫୁଟ ଉଚ୍ଚତା କରିବା ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ମନ୍ଦିର ଉପରକୁ ଉଠାଇବା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଜଗନ୍ନାଥଙ୍କ ବିଗ୍ରହକୁ ମନ୍ଦିରକୁ ଲାଗି ରହିଥିବା ରଘୁନାଥ ମନ୍ଦିରରେ ଅସ୍ଥାୟୀ ରୂପେ ସ୍ଥାପନ କରାଯାଇଛି। ପୂର୍ବ ରୀତିନୀତି ଅନୁସାରେ ରଘୁନାଥ ମନ୍ଦିରରେ ମଧ୍ୟ ଜଗନ୍ନାଥଙ୍କ ପୂଜାର୍ଚ୍ଚନା ଜାରୀ ରହିଛି। ମନ୍ଦିର ଉପରକୁ ଉଠା କାର୍ଯ୍ୟ ଶେଷ ହେବା ପରେ ୨୨ ପାହାଚ, ମଣ୍ଡପ, ଅରୁଣ ସ୍ତମ୍ଭ ନିର୍ମାଣ କରାଯିବା ସହିତ ମନ୍ଦିର ପୁନର୍ବାର ପ୍ରତିଷ୍ଠା ହେବ ବୋଲି କହିଛନ୍ତି ମନ୍ଦିର କମିଟିର ସଦସ୍ୟ। ମନ୍ଦିର ଉପରକୁ ଉଠାଇବା କାର୍ଯ୍ୟ ନିମନ୍ତେ ହରିୟାଣାର ‘ଟିଡ଼ିବିଡ଼ି’ ନାମକ ଏକ କମ୍ପାନୀର କର୍ମଚାରୀମାନେ ଗାଁରେ ପହଞ୍ଚିଛନ୍ତି। କମ୍ପାନୀର ୮ଜଣ କର୍ମଚାରୀମାନେ ଏହି ମନ୍ଦିର ଉଠା କାର୍ଯ୍ୟରେ ଲାଗିପଡ଼ିଛନ୍ତି। ମନ୍ଦିରକୁ ୩ ମାସ ମଧ୍ୟରେ ୬ ଫୁଟ ଉଚ୍ଚତାରେ ଉପରକୁ ଉଠାଯିବ। ମୋଟ ୪୦୦ ଜଗ ମନ୍ଦିରକୁ ଉପରକୁ ଉଠାଇବା ନିମନ୍ତେ ବ୍ୟବହାର କରାଯାଉଛି। ଆସନ୍ତା ୩ ମାସ ମଧ୍ୟରେ ମନ୍ଦିର ୬ ଫୁଟ ଉପରକୁ ଉଠାଯିବା କାର୍ଯ୍ୟ ଶେଷ କରିବା ନିମନ୍ତେ କମ୍ପାନୀ ଲକ୍ଷ୍ୟ ରଖିଥିବା ବେଳେ ମନ୍ଦିର ଉଠା କାର୍ଯ୍ୟ ସାଙ୍ଗକୁ ଏହାର ଅନ୍ୟ ଉନ୍ନୟନମୂଳକ କାର୍ଯ୍ୟ ନିମନ୍ତେ ୪୦ ଲକ୍ଷରୁ ଉଦ୍ଧର୍‌ବ ଟଙ୍କା ଖର୍ଚ୍ଚ କରିବା ନିମନ୍ତେ ମନ୍ଦିର କମିଟି ଓ ଗ୍ରାମବାସୀମାନେ ପ୍ରସ୍ତୁତ ହୋଇଛନ୍ତି।