ଷ୍ଟାର ପ୍ରଚାରକ ଲିଷ୍ଟରେ ନାହିଁ ୩ ତାରକାଙ୍କ ନାମ

ଭୁବନେଶ୍ୱର,୨୩।୪: ଭାଜପା ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଲେନି ୩ ଓଲିଉଡ ଷ୍ଟାର । ନିକଟରେ ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ଓଲିଉଡ ଷ୍ଟାରଙ୍କୁ ଦଳ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିନି । ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ ଏବଂ ଅରିନ୍ଦମ ରାୟଙ୍କ ଭଳି ଓଲିଉଡ ଷ୍ଟାରଙ୍କୁ ଭାଜପା ଆଗାମୀ ସାଧାରଣ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ରଖିନାହିଁ। ଯାହାକୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହେଇଛି ।
ଏଥର ଦିଗପହଣ୍ଡିରୁ ଭାଜପାର ବିଧାୟକ ପ୍ରାର୍ଥୀ ହୋଇଛନ୍ତି ସିଦ୍ଧାନ୍ତ ମହାପାତ୍ର, ସେହିପରି କୋରେଇରୁ ବିଧାୟକ ପ୍ରାର୍ଥୀ ହେଇଛନ୍ତି ଆକାଶ ଦାସ ନାୟକ । ଏହି ଦୁଇ ନେତା ନିକଟରେ ବିଜେଡିକୁ ବାଏ ବାଏ କରି ପଦ୍ମ ଧରିଥିଲେ । ଆଉ ଦଳ ତାଙ୍କୁ ନିର୍ବାଚନ ପାଇଁ ଟିକେଟ ବି ଦେଇଥିଲା । ହେଲେ ଏହାପରେ ବି, ଦଳ ଏମାନଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିନି ।

ସେହିପରି ଓଲିଉଡ ଷ୍ଟାର ଅରିନ୍ଦମ ରାୟଙ୍କୁ ଦଳ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରନ୍ତି । ଖାଲି ସେତିକି ନୁହେଁ, ତାଙ୍କୁ କୌଣସି ଆସନରୁ ନିର୍ବାଚନ ଟିକେଟ ମଧ୍ୟ ଦେଇନି ଭାଜପା।
ଏହିକ୍ରମରେ ଅନୁଭବ ମହାନ୍ତିଙ୍କୁ ଦଳ ଟିକେଟ୍‌ ନ ଦେଇଥିବାବେଳେ ଷ୍ଟାର ପ୍ରଚାରକ ଲିଷ୍ଟରେ ସାମିଲ କରିଛି।

ତେବେ ଭାଜପାର ଷ୍ଟାର ପ୍ରଚାରକ ଲିଷ୍ଟରେ ଓଲିଉଡର ଅନୁଭବ ମହାନ୍ତି, ପିଙ୍କି ପ୍ରଧାନ, ଶ୍ରୀତମ ଦାସ ଏବଂ ହରିହର ମହାପାତ୍ରଙ୍କ ନାଁ ସାମିଲ ରହିଛି ।

Share