ଝଡ଼ପବନରେ ଭାଙ୍ଗିଲା ୩୦ ଫୁଟର ହକି ସ୍ମାରକୀ

ରାଉରକେଲା ଅଫିସ,୧୧ା୬: ସାମାନ୍ୟ ଝଡ଼ ପବନରେ ଟଳି ପଡ଼ିଛି ୩୦ ଫୁଟ ଉଚ୍ଚତାର ବିଶାଳକାୟ ସ୍ମାରକୀ। ମାତ୍ର ୬ ମାସ ତଳେ ବିପୁଳ ଅର୍ଥ ବ୍ୟୟରେ ରାଉରକେଲା ବିମାନବନ୍ଦର ଛକରେ ତିଆରି ହୋଇଥିବା ୩୦ ଫୁଟ ଉଚ୍ଚତାର ହକି ସ୍ମାରକୀ। ରବିବାର ଅପରାହ୍ନରେ ହୋଇଥିବା ସାମାନ୍ୟ ଝଡ଼ ପବନରେ ଏହି ବିଶାଳକାୟ ସ୍ମାରକୀ ଟଳି ପଡ଼ିଛି। ରାଉରକେଲାରେ ପୁରୁଷ ହକି ବିଶ୍ୱକପକୁ ନେଇ ସହରରେ ହୋଇଥିବା ବିଭିନ୍ନ ଆକର୍ଷଣୀୟ ପ୍ରକଳ୍ପ ମଧ୍ୟରେ ଜଣେ ବିଶାଳକାୟ ହକି ଖେଳାଳିଙ୍କ ପ୍ରତିମୂର୍ତ୍ତିକୁ ନେଇ ତିଆରି ହୋଇଥିଲା ଏହି ହକି ସ୍ମାରକୀ। ଜନସାଧାରଣଙ୍କ ପାଇଁ ଏହା ଏକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଭୁବନେଶ୍ୱରର ଏକ ସଂସ୍ଥା ସହାୟତାରେ ଆର୍‌ଏମ୍‌ସି ପକ୍ଷରୁ ତିଆରି ହୋଇଥିବା ସ୍ମାରକୀ କିପରି ଭାଙ୍ଗିଲା ତାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଥିଲେ ମଧ୍ୟ ବିଭାଗ ପକ୍ଷରୁ ଏସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଏହାକୁ ନେଇ ଭାଜପା ଏବଂ କଂଗ୍ରେସ ରାଜନୀତି ଆରମ୍ଭ କରି ଦେଇଥିବା ବେଳେ ନିମ୍ନମାନର କାର୍ଯ୍ୟ ଦର୍ଶାଇ ଦୁର୍ନୀତିର ତଦନ୍ତ ଦାବି କରିଛନ୍ତି।

Share