ଇଣ୍ଡିଆନ ଡକ୍ୟୁମେଣ୍ଟାରି ଫିଲ୍ମ ଫେଷ୍ଟିଭାଲ ଉଦ୍‌ଯାପିତ

ଭୁବନେଶ୍ୱର,୨୫ା୯(ଶର୍ମିଷ୍ଠା ପାଣିଗ୍ରାହୀ):ଫିଲ୍ମ ସୋସାଇଟି ଭୁବନେଶ୍ୱର ପକ୍ଷରୁ ଗୁରୁ କେଳୁଚରଣ ଓଡ଼ିଶୀ ଗବେଷଣା କେନ୍ଦ୍ରଠାରେ ଚାଲିଥିବା ୩ଦିନିଆ ଚତୁର୍ଥ ଇଣ୍ଡିଆନ ଡକ୍ୟୁମେଣ୍ଟାରି ଫିଲ୍ମ ଫେଷ୍ଟିଭାଲ(ଆଇଡିଏଫ୍‌ଏଫ୍‌ବି) ରବିବାର ଉଦ୍‌ଯାପିତ ହୋଇଯାଇଛି। ଅତିଥି ଭାବେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ, ଫିଲ୍ମ ସୋସାଇଟିର ଉପ ସଭାପତି ଈଶ୍ୱର ମହାନ୍ତି, ଫିଲ୍ମ ନିର୍ମାତା ରୁଚିକା ନେଗି, ଲିପିକା ସିଂହ ଦରାଇ, ବରୁଣ ସୁଖ୍‌ରାଜ୍‌ ପ୍ରମୁଖ ଉପସ୍ଥିତ ଥିଲେ। ଫାର୍‌ହା ଖାତୁନ୍‌ଙ୍କ ‘ହୋଲି ରାଇଟ୍ସ’ ଚଳଚ୍ଚିତ୍ରରୁ ଅନ୍ତିମ ଦିବସର ଚଳଚ୍ଚିତ୍ର ପ୍ରଦର୍ଶନ ଆରମ୍ଭ ହୋଇଥିଲା। ଭୋପାଳର ସାଫିଆ ନାମ୍ନୀ ଜଣେ ମୁସଲମାନ ମହିଳାଙ୍କ ମତରେ ଶରିଆ ଆଇନର ଓକିଲାତି କରୁଥିବା ବ୍ୟକ୍ତିମାନେ ମୁସଲିମ ମହିଳାଙ୍କୁ ସମାନତା ଓ ନ୍ୟାୟ ଦେଇ ନ ଥାନ୍ତି। ସେ ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ, ଯେଉଁଠାରେ ମହିଳାଙ୍କୁ କାଜି(ମୁସଲିମ୍‌ ପର୍ସନାଲ୍‌ ଲ’ର ବିଦ୍ୱାନ) ହେବା ପାଇଁ ତାଲିମ ଦିଆଯାଇଥାଏ। ପାରମ୍ପରିକ ଭାବେ ପୁରୁଷମାନେ କାଜି ହେଉଥିବାବେଳେ ସାଫିଆଙ୍କୁ ଏହାର ପ୍ରଶିକ୍ଷଣ ନେବାକୁ ପଡ଼ିଥିଲା ବୋଲି ଫିଲ୍ମ ମାଧ୍ୟମରେ ଦେଖିବାକୁ ମିଳିଥିଲା। ଏହା ପରେ ବରୁଣ ସୁଖ୍‌ରାଜ୍‌ଙ୍କ ଫିଲ୍ମ ‘ଠୁ ମଚ୍‌ ଡେମୋକ୍ରାସି’ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। ଫିଲ୍ମରେ କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନ (ଉଚ୍ଛେଦ ହୋଇସାରିଥିବା) ସମ୍ପର୍କରେ ଦର୍ଶକ ଦେଖିବାକୁ ପାଇଥିଲେ। ପରେ ଓଡ଼ିଆ ଦର୍ଶକଙ୍କୁ ନିଜସ୍ବ ଅନୁଭବ ଆଣି ଦେଇଥିଲା ପ୍ରଯୋଜକ ହିମାଂଶୁ ଖଟୁଆଙ୍କ ଫିଲ୍ମ ‘ଦ ସି ଆଣ୍ଡ ସେଭେନ୍‌ ଭିଲେଜ୍‌’। ଏହି ଫିଲ୍ମରେ ବାତ୍ୟା କିଭଳି କେନ୍ଦ୍ରାପଡ଼ା ଜିଲାର ୭ ଗ୍ରାମକୁ ନଷ୍ଟ କରିଦେଇଥିଲା ଓ ସାତଭାୟା ଗ୍ରାମ ସମେତ ଅନ୍ୟ ଉପକୂଳ ଅଧିବାସୀଙ୍କୁ ବିସ୍ଥାପିତ କରିଥିଲା ତାହା ଦେଖିବାକୁ ମିଳିଥିଲା। ଓଡ଼ିଆ ଭାଷାରେ ପ୍ରସ୍ତୁତ ସିନେମାଟି ଦର୍ଶକଙ୍କୁ ଓଡ଼ିଶାରେ ହେଉଥିବା ପ୍ରାକୃତିକ ବିପର୍ଯ୍ୟର ପରିଣାମ ସମ୍ପର୍କରେ ସୂଚନା ଦେଇଥିଲା। ଅନ୍ତିମ ପ୍ରଦର୍ଶନରେ ଯୋଶୀ ଜୋସେଫ୍‌ଙ୍କ ଫିଲ୍ମ ‘ଆରିବାମ୍‌ ଶ୍ୟାମ୍‌ ଶର୍ମା’ ପ୍ରଦର୍ଶିତ ହୋଇଥିଲା।

Share