କେନ୍ଦ୍ର ପଠାଇଥିବା ୭୩ ଭେଣ୍ଟିଲେଟର ଅଚଳ

ଭୁବନେଶ୍ୱର, ୨୩ା୫(ବ୍ୟୁରୋ): କେନ୍ଦ୍ର ସରକାର ଓଡ଼ିଶାକୁ ପଠାଇଥିବା ୫୬୭ ଭେଣ୍ଟିଲେଟର ମଧ୍ୟରୁ ୭୩ଟି ଅଚଳ ହୋଇପଡ଼ିରହିଛି। ସେଥିରୁ ୧୮ଟିରେ ଉତ୍ପାଦନଗତ ତ୍ରୁଟି ରହିଥିବାବେଳେ ଅବଶିଷ୍ଟ ୫୫ ଯନ୍ତ୍ରାଂଶ ଅଭାବରୁ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ରାଜ୍ୟରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଡାକ୍ତରୀ ଉପକରଣ ଅଭାବ ଥିବାବେଳେ କେନ୍ଦ୍ରୀୟ ସହାୟତାରେ ଏଭଳି ବିଭ୍ରାଟ ପରିଲକ୍ଷିତ ହୋଇଛି।

ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କହିବା ହେଲା, ଗୁରୁତର କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ କେନ୍ଦ୍ର ସରକାର ଓଡ଼ିଶାକୁ ଅଦ୍ୟାବଧି ୪୪୭ ବିଇଏଲ୍‌ ଭେଣ୍ଟିଲେଟର (ମଡେଲ- ସିଭି୨୦୦) ଏବଂ ୧୨୦ ଏଜିଭିଏ ଭେଣ୍ଟିଲେଟର ଦେଇଛନ୍ତି। ସେଥିରୁ ୧୮ଟି ବିଇଏଲ୍‌ ଭେଣ୍ଟିଲେଟରରେ ମାନୁଫ୍ୟାକ୍ଚରିଂ ତ୍ରୁଟି ଥିବାବେଳେ ଅନ୍ୟ ୪୭ ଭେଣ୍ଟିଲେଟର ପାଇଁ ଜରୁରୀ ଉପକରଣ ଯୋଗାଇଦିଆଯାଇ ନ ଥିବାରୁ ତାହା କାର୍ଯ୍ୟକ୍ଷମ ହୋଇନାହିଁ। ସେହିପରି ୮ ଏଜିଭିଏ ଭେଣ୍ଟିଲେଟରର ଯନ୍ତ୍ରାଂଶ ଉତ୍ପାଦନକାରୀ ସଂସ୍ଥାଠାରୁ ଆସି ନ ଥିବାରୁ ସେଗୁଡ଼ିକୁ କାମରେ ଲଗାଯାଇପାରିନାହିଁ। କାର୍ଯ୍ୟକ୍ଷମ ହୋଇ ନ ଥିବା ଭେଣ୍ଟିଲେଟରଗୁଡ଼ିକ ମଧ୍ୟରୁ କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜରେ ୧୭, ଅଶ୍ୱିନୀ ସମ୍ବଲପୁରରେ ୧୨, ଆଦିତ୍ୟ ଅଶ୍ୱିନୀ ଭୁବନେଶ୍ୱରରେ ୭ଟି ରହିଛି। ଅବଶିଷ୍ଟ ମଧ୍ୟରୁ ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଓ ବଲାଙ୍ଗୀର ମେଡିକାଲ କଲେଜରେ ୬ଟି ଲେଖାଏ ଏବଂ ରାଉରକେଲା ଜେ.ପି. ହସ୍ପିଟାଲରେ ୫ଟି ଭେଣ୍ଟିଲେଟର ପଡ଼ିରହିଛି। ସେହିପରି ବୁର୍ଲାର ଭିମ୍‌ସାର, ରାଉରକେଲା ସରକାରୀ ଡାକ୍ତରଖାନା, ଝାରସୁଗୁଡା କୋଭିଡ୍‌-୧୯ ହସ୍ପିଟାଲ, ଗଜପତି ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ଅନୁଗୁଳ କୋଭିଡ୍‌-୧୯ ହସ୍ପିଟାଲରେ ୩ଟି ଲେଖାଏ କାର୍ଯ୍ୟକ୍ଷମ ହୋଇ ନ ଥିବା ଭେଣ୍ଟିଲେଟର ରହିଛି। ଏହାବାଦ୍‌ କିମ୍ସ କୋଭିଡ୍‌ ହସ୍ପିଟାଲକୁ ପଠାଯାଇଥିବା ୨ଟି ଭେଣ୍ଟିଲେଟର ମଧ୍ୟ ଅକାମୀ ବୋଲି ଜଣାପଡ଼ିଛି। ଏହାବ୍ୟତୀତ କିମ୍‌ସ ଭୁବନେଶ୍ୱର, କିଡ୍ସ ଭୁବନେଶ୍ୱର ଓ ଝାରସୁଗୁଡ଼ା ଜିଲା ଚିକିତ୍ସାଳୟରେ ଗୋଟିଏ ଲେଖାଏ ଭେଣ୍ଟିଲେଟର ଅଚଳ ହୋଇପଡ଼ିଛି। ସ୍ବାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି ଯେ, ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୪୭୨ ଭେଣ୍ଟିଲେଟର ସଂଯୋଗ କରାଯାଇଛି। ୧୦ ବିଇଏଲ୍‌ ଏବଂ ୧୨ ଏଜିଭିଏ ଭେଣ୍ଟିଲେଟରକୁ ଜରୁରୀ ସମୟ ପାଇଁ ସଂରକ୍ଷିତ ରଖାଯାଇଛି। ପ୍ରକାଶ ଯେ, ମହାମାରୀ ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଜୀବନରକ୍ଷକ ଭେଣ୍ଟିଲେଟରଗୁଡ଼ିକୁ ରାଜ୍ୟ ସରକାର କାମରେ ଲଗାଉନାହାନ୍ତି ବୋଲି ଶନିବାର ଭାଜପା ନେତା ପ୍ରଦୀପ ପୁରୋହିତ ସମାଲୋଚନା କରିଥିଲେ।

Share