Categories: ବାଣିଜ୍ୟ

୬୯ ହଜାର ପେଟ୍ରୋଲ ପମ୍ପରେ ରହିବ ଇ-ଚାର୍ଜିଂ ଷ୍ଟେଶନ

ନୂଆଦିଲ୍ଲୀ: ସାରା ଦେଶର ୬୯ ହଜାର ପେଟ୍ରୋଲ ପମ୍ପରେ ଅନ୍ତତଃ ପକ୍ଷେ ଗୋଟିଏ ଲେଖାଏ ଇ-ଚାର୍ଜିଂ ଷ୍ଟେଶନ ସ୍ଥାପନ କରିବା ଲାଗି କେନ୍ଦ୍ର ସରକାର ଯୋଜନା ରଖିଛନ୍ତି। କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି। ପ୍ରଦୂଷଣକୁ କମାଇବା ଦିଗରେ ଅଟୋମୋବାଇଲ କମ୍ପାନୀଗୁଡିକ ମିଳିତ ହୋଇ କାମ କରିବାର ଆବଶ୍ୟକତା ରହିଛି। ଏ ଦିଗରେ କମ୍ପାନୀଗୁଡିକ ଆଗେଇ ଆସିବାକୁ ଗଡକରୀ ଆହ୍ବାନ ଜଣାଇଛନ୍ତି। ଇଲେକ୍ଟ୍ରିକ ମୋବିଲିଟିର ଏକ ଭର୍ଚୁଆଲ କନ୍‌ଫରେନ୍ସରେ ଉଦ୍‌ବୋଧନ ଦେଇ ସେ କହିଛନ୍ତି ଯେ, ଆମଦାନୀ ଉପରେ ନିର୍ଭରତା କମାଇବା ଲାଗି ଶିଳ୍ପ ଲିଡରମାନେ ସ୍ଥାନୀୟ ଆନୁଷଙ୍ଗିକ ଶିଳ୍ପଗୁଡିକୁ ପ୍ରୋତ୍ସାହିତ କରିବା ଉଚିତ। ସାରା ଦେଶରେ ଇ-ଯାନ ଚଳାଚଳକୁ ସରକାର ଉତ୍ସାହିତ କରୁଛନ୍ତି। ଏ ନେଇ ବର୍ତ୍ତମାନ ଏକ ଇକୋସିଷ୍ଟମ ଗଠନ କରିବା ଦିଗରେ କାର୍ଯ୍ୟକ୍ରମ ଜାରି ରହିଛି। ଇ-ମୋବିଲିଟି ବ୍ୟାଟେରି ଚାର୍ଜିଂ ବ୍ୟବସ୍ଥା ଏକ ପ୍ରମୁଖ କାମ। ବର୍ତ୍ତମାନ କେବଳ ମେଟ୍ରୋ ସହରଗୁଡିକରେ ଏଭଳି ସୁବିଧା ରହିଥିବା ସେ ମତ ଦେଇଛନ୍ତି।

Share