ଆଜି ଦିଆଯିବ ୭ବର୍ଷର ଧର୍ମପଦ ପୁରସ୍କାର

ଭୁବନେଶ୍ୱର, ୧୦।୮(ବ୍ୟୁରୋ): ଚିତ୍ରକଳା ଓ ସ୍ଥାପତ୍ୟକଳା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ବହୁ ପ୍ରତୀକ୍ଷିତ ଧର୍ମପଦ ପୁରସ୍କାର ସୋମବାର ପ୍ରଦାନ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡ଼ିଶା ଲଳିତକଳା ଏକାଡେମୀ ପକ୍ଷରୁ ରାଜ୍ୟର ୭ଜଣ ବରିଷ୍ଠ ଚିତ୍ରଶିଳ୍ପୀ ଓ ସ୍ଥାପତ୍ୟଶିଳ୍ପୀଙ୍କୁ ଏହି ସର୍ବୋଚ୍ଚ ସମ୍ମାନ ମିଳିବ। ବହୁ ବାଦ ବିବାଦ ମଧ୍ୟରେ ୨୦୦୯ରୁ ଅଟକି ରହିଥିବା ଏହି ପୁରସ୍କାର ୭ବର୍ଷ ପାଇଁ ଯୋଗ୍ୟ ପ୍ରତିଭାଙ୍କ ସହ ମୃତ ଶିଳ୍ପୀ/ପ୍ରତିଭାଙ୍କୁ ମରଣୋତ୍ତରଭାବେ ପ୍ରଦାନ କରାଯିବା ନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି।
୨୦୦୯ ମସିହା ପାଇଁ ସ୍ବର୍ଗତ ଗୋକୁଳ ବିହାରୀ ପଟ୍ଟନାୟକ ମରଣୋତ୍ତରଭାବେ ଏହି ସମ୍ମାନଜନକ ପୁରସ୍କାର ପାଇବେ। ସେହିଭଳି ୨୦୧୦ ପାଇଁ ଚିତ୍ର ଓ ମଞ୍ଚଶିଳ୍ପୀ ସ୍ବର୍ଗତ ଅସୀମ ବସୁ, ୨୦୧୧ ପାଇଁ ଖଲ୍ଲିକୋଟ କଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ଦୁର୍ଗାପ୍ରସାଦ ଦାସ, ୨୦୧୨ ପାଇଁ ବିଶିଷ୍ଟ ଭାସ୍କର୍ଯ୍ୟଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ସାହୁ, ୨୦୧୩ ପାଇଁ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚିତ୍ରଶିଳ୍ପୀ ଯତୀନ ଦାସ, ୨୦୧୪ ପାଇଁ ଶିଳ୍ପୀ ଓ କଳା ସମାଲୋଚକ ସ୍ବର୍ଗତ ଡ. ଦୀନନାଥ ପାଠୀ ଏବଂ ୨୦୧୫ ପାଇଁପଦ୍ମବିଭୂଷଣ ଡ. ରଘୁନାଥ ମହାପାତ୍ରଙ୍କୁ ଧର୍ମପଦ ପୁରସ୍କାର ମିଳିବ। ପୁରସ୍କାର ରାଶି ସ୍ବରୂପ ୧ଲକ୍ଷ ଟଙ୍କାର ଅର୍ଥରାଶି ସହ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରାଯିବ। କୋଭିଡ୍‌ କଟକଣା ଯୋଗୁ କୌଣସି ବିଶେଷ ଉତ୍ସବ କିମ୍ବା କାର୍ଯ୍ୟକ୍ରମର ଆୟୋଜନ କରା ନ ଯାଇ ଶିଳ୍ପୀଙ୍କ ଘରେ ପୁରସ୍କାର ପ୍ରଦାନ କରାଯିବ। କୋର୍ଟରେ ମାମଲା ଯୋଗୁ ଦୀର୍ଘଦିନ ଧରି ଏହି ପୁରସ୍କାର ପ୍ରଦାନ କରାଯାଇ ପାରୁ ନ ଥିଲା। ମାମଲା ଫଇସଲା ହେବାପରେ ପୁରସ୍କାର ପ୍ରଦାନ ନେଇ ବିଭାଗ ତପତ୍ରତା ପ୍ରକାଶ କରିଥିଲା।

Share