Categories: ଫୁରସତ

୯୫ ବର୍ଷୀୟା ସୁପର୍‌ ମଡ଼େଲ, ଏ ବୟସରେ ବି…

ମଡେଲିଂର ଗ୍ଲାମର୍ସ ଜଗତରେ ୟଙ୍ଗ, ସ୍ମାର୍ଟ ଓ ସୁନ୍ଦର ମଡେଲଙ୍କୁ ପ୍ରାଧାନ୍ୟ ଦିଆଯାଏ। ଯେଉଁ ମଡେଲ ଯେତେ ମେଣ୍ଟେନ କରି ନିଜର ଯୌବନକୁ ଧରି ରଖିପାରନ୍ତି ସେ ଏହି ଦୁନିଆରେ ତିଷ୍ଠିପାରନ୍ତି। ତେବେ ଜାଣି ଆଶ୍ଚର୍ଯ୍ୟ ହେବେ ଡାଫ୍‌ନେ ସେଲ୍‌ଫ ନାମ୍ନୀ ଜଣେ ବ୍ରିଟିଶ ମଡେଲ ୯୫ ବର୍ଷ ବୟସରେ ପହଞ୍ଚିଥିଲେ ମଧ୍ୟ ଆଜି ବି ସୁପର୍‌ ମଡେଲ ହୋଇ ରହିଛନ୍ତି। ଫଳରେ ସେ ପୃଥିବୀର ସବୁଠାରୁ ବୟସ୍କା ସୁପର୍‌ ମଡେଲ ଭାବେ ପରିଚିତ ହେଉଛନ୍ତି। ୭୦ ବର୍ଷରୁ ଉର୍ଦ୍ଧ୍ୱ ହେଉଛି ତାଙ୍କ ମଡେଲିଂ କ୍ୟାରିୟର। ସେ ପୃଥିବୀର ଅନେକ ବଡ଼ ବଡ଼ ବ୍ରାଣ୍ଡ ପାଇଁ କାମ କରିଛନ୍ତି। ଆଉ ଫ୍ୟାଶନ ଜଗତରେ ବୟସ୍କା ମହିଳାଙ୍କ ପ୍ରତୀକ ଭାବେ ତାଙ୍କୁ ଗ୍ରହଣ କରାଯାଏ। ମଡେଲିଂ ଜଗତର ପରମ୍ପରାଗତ ଧାରଣାକୁ ବଦଳାଇଥିବା ଡାଫ୍‌ନେ ନିଜ ଅନୁଭୂତି ସମ୍ପର୍କରେ କୁହନ୍ତି, ‘ପୂର୍ବେ ଲଣ୍ଡନ ଫ୍ୟାଶନ ଉଇକ୍‌ ହେଉ ନ ଥିଲା। ଆମେ କେବଳ ବଡ଼ ବଡ଼ ଷ୍ଟୋର୍‌ରେ କ୍ୟାଟ୍‌ ଓ୍ବାକ କରୁଥିଲୁ। ଆଉ ଏକ କଥା ଏହି ଜଗତରେ ତିଷ୍ଠି ରହିବାକୁ ହେଲେ ନିଜ ସ୍ବାସ୍ଥ୍ୟ ପ୍ରତି ସଚେତନ ହେବା ନିହାତି ଜରୁରୀ। କାରଣ ସଫଳ ମଡେଲ ହେବା ପାଇଁ ବହୁତ ପରିଶ୍ରମ କରିବାକୁ ପଡେ।’ ଏ ବୟସରେ ବି ଡାଫ୍‌ନେ ନିଜକୁ ଫିଟ୍‌ ରଖିବା ଲାଗି ବ୍ୟାୟାମ, ଯୋଗ ଓ ସାଇକେଲିଂ କରନ୍ତି।

Share