ଅନୁଗୋଳ ଅଫିସ, ୧୩।୫: ଅନୁଗୋଳ ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦର ସମ୍ମୁଖରେ ଥିବା ବଜାରପଡ଼ା ବିଦ୍ୟାଳୟର ପରିତ୍ୟକ୍ତ ଗୃହକୁ ଶୁକ୍ରବାର ଉଚ୍ଛେଦ କରାଯାଇଛି। ଉକ୍ତ ଜାଗାକୁ ପ୍ରଶାସନ ହାତକୁ ନେଇଛି। ସେଠାରେ ଖାଓ ଗଳି ପାଇଁ ପାର୍କିଂ ବ୍ୟବସ୍ଥା କରାଯିବାକୁ ଥିବାବେଳେ ସାଧାରଣ ଲୋକଙ୍କ ପାଇଁ କାଫେ ବ୍ୟବସ୍ଥା ମଧ୍ୟ କରାଯିବାକୁ ଯୋଜନା ରହିଥିବା ଜଣାପଡ଼ିଛି। ଏ ନେଇ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ନିର୍ଦ୍ଦେଶକ୍ରମେ ଉକ୍ତ ଗୃହକୁ ଉଚ୍ଛେଦ କରାଯାଇଥିବା ଅନୁଗୋଳ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ସୂଚନା ଦେଇଛନ୍ତି।
ଅନୁଗୋଳ ଜଗନ୍ନାଥ ମନ୍ଦିର ଛକ ଠାରୁ ବିଇଡି କଲେଜ ଛକ ପର୍ଯ୍ୟନ୍ତ ନୋ ପାର୍କିଂ ଜୋନ କରାଯିବ। ଏଥିସହ ଉକ୍ତ ରାସ୍ତାରେ ଭାରିଯାନ ଚଳାଚଳରେ ମଧ୍ୟ ରୋକ୍ ଲଗାଯିବ। ରାସ୍ତାର ଉଭୟ ପାର୍ଶ୍ୱରେ ଲୋକଙ୍କୁ ଫାଷ୍ଟଫୁଡ୍ ପାଖରୁ ଆରମ୍ଭ କରି ଚଟପଟା ଖାଦ୍ୟ ପରଷାଯିବ। ଏ ନେଇ ଅନୁଗୋଳ ପୌରପାଳିକା ପକ୍ଷରୁ ପୂର୍ବରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ସରିଥିଲା। ଏବେ ଏହାକୁ କାର୍ଯ୍ୟକାରୀ କରାଯିବା ପାଇଁ ଯୋଜନା କରାଯାଇଛି। ତେଣୁ ବଜାରପଡ଼ାଠାରେ ବନ୍ଦ ପଡ଼ିଥିବା ବିଦ୍ୟାଳୟ ଗୃହ ପରିତ୍ୟକ୍ତ ଅବସ୍ଥାରେ ଥିବାରୁ ସେଠାରେ ଦୁଇ ଚକିଆ ପାର୍କିଂ ପାଇଁ ବ୍ୟବସ୍ଥା କରାଯିବ। ସେହିଭଳି ଚାରିଚକିଆ ପାର୍କିଂ ପାଇଁ ଦଶହରା ପଡ଼ିଆକୁ ବଛାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଖାଓ ଗଳି ହେବା ପରେ ସେଠରେ ଲୋକମାନେ ଚାଲିଚାଲି ଯାଇ ଖାଦ୍ୟପେୟର ମଜା ଉଠାଇ ପାରିବେ। ତେଣୁ ପାର୍କିଂ ବ୍ୟବସ୍ଥା ଉକ୍ତ ସ୍ଥାନରେ କରାଯିବାକୁ ଥିବା ସୂଚନା ପ୍ରଦାନ କରାଯାଇଛି। ଉଚ୍ଛେଦ ସମୟରେ ଅନୁଗୋଳ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକଙ୍କ ସହ ପୌର କର୍ମଚାରୀ ଓ ଜିଲା ପ୍ରଶାସନର ଅଧିକାରୀ, କର୍ମଚାରୀମାନେ ଉପସ୍ଥିତ ଥିଲେ।