ଆରଡି,୨୦।୮(ଡି.ଏନ.ଏ.): ଦୁର୍ଘଟଣାରେ ମେରୁଦଣ୍ଡ ହାଡ଼ ଭାଙ୍ଗିଯାଇଛି। ମାସେ ହେଲା ବିଛଣାରେ ପଡ଼ି ରହିଛନ୍ତି ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡ଼ି ଫାଣ୍ଡି ଅଧୀନ ଓଳଗ ଗ୍ରାମର ସୁରେଶ ସୁତାର(୪୦)। ଅଧିକ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି। ସୁରେଶଙ୍କ ଆରୋଗ୍ୟ ଲାଗି ତାଙ୍କ ସ୍ତ୍ରୀ ରତ୍ନପ୍ରଭା ସହାୟତା ମାଗୁଛନ୍ତି।
ଗତ ଜୁଲାଇ ୨୬ରେ ସୁରେଶ ଏକ ବାଇକ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସେ ଯାଜପୁର ଜିଲା ମଙ୍ଗଳପୁରରୁ ଫେରୁଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତି ତାଙ୍କୁ ବାଇକ୍ ଧକ୍କା ଦେଇଥିଲେ। ରାସ୍ତାପାର୍ଶ୍ୱରେ ଅଚେତ ଅବସ୍ଥାରେ ପଡ଼ି ରହିଥିବା ସୁରେଶଙ୍କୁ ସ୍ଥାନୀୟ ଯୁବକ ଉଦ୍ଧାର କରି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତାଙ୍କ ମେରୁଦଣ୍ଡ ହାଡ଼ ଭାଙ୍ଗି ଯାଇଥିବାରୁ କଟକସ୍ଥିତ ଏକ ଘରୋଇ ହସ୍ପିଟାଲକୁ ପରିବାର ଲୋକେ ନେଇଥିଲେ। ତାଙ୍କର ମେରୁଦଣ୍ଡ ହାଡ଼ ଭାଙ୍ଗି ଯାଇଥିବା ସହ ସୁଷମ୍ନାକାଣ୍ଡ କେତେକ ସ୍ଥାନରେ ଦବିଯାଇଥିବା ପରୀକ୍ଷାରୁ ଜଣାପଡ଼ିଥିଲା। ସେଠାରେ ୨୮ ତାରିଖରେ ତାଙ୍କର ସଫଳ ଅସ୍ତ୍ରୋପଚାର କରାଯାଇଥିଲା। ସ୍ବାସ୍ଥ୍ୟ କାର୍ଡ ଜରିଆରେ ସରକାରୀ ସୁବିଧା ମିଳିଥିଲା। ହେଲେ ତାଙ୍କର ପରବର୍ତ୍ତୀ ଚିକିତ୍ସା ନିମନ୍ତେ ପରିବାର ପାଖରେ ସମ୍ବଳ ନାହିଁ। ସୁରେଶ ଜଣେ କାଠ ମିସ୍ତ୍ରି। ସ୍ତ୍ରୀ, ଦୁଇଝିଅ ଓ ଗୋଟିଏ ପୁଅକୁ ନେଇ ତାଙ୍କ ସଂସାର। ଦୈନିକ ମଜୁରିରେ ତାଙ୍କ ପରିବାର ଚଳୁଥିଲା। ହେଲେ ଏହି ଦୁର୍ଘଟଣା ତାଙ୍କ ପରିବାରର ଖୁସି ଛଡ଼ାଇ ନେଇଛି। ସୁରେଶ ଏବେ ବିଛଣାରେ ପଡ଼ି ରହିଛନ୍ତି। ତାଙ୍କ ଚିକିତ୍ସା ପାଇଁ ଔଷଧ କିଣା ଚାଲିଛି। ଅର୍ଥାଭାବ ଯୋଗୁ ଏପରି ସ୍ଥିତିରେ ରତ୍ନପ୍ରଭା ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ପରିବାର ପ୍ରତିପୋଷଣ ସହ ସ୍ବାମୀଙ୍କ ଚିକିତ୍ସା କିପରି ହେବ ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି। ଜିଲା ରେଡ୍କ୍ରସରୁ ତାଙ୍କୁ ଆର୍ଥତ୍କ ସାହାଯ୍ୟ ଯୋଗାଇଦେବା ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ପାଇଁ ଜିଲାପାଳଙ୍କୁ ନିବେଦନ କରିଛନ୍ତି ରତ୍ନପ୍ରଭା। ଏହାବ୍ୟତୀତ ତାଙ୍କ ସ୍ବାମୀଙ୍କ ଦୀର୍ଘ ସମୟ ଚିକିତ୍ସା ଲାଗି ଆର୍ଥତ୍କ ସହାୟତା ଯୋଗାଇ ଦେବାକୁ ସେ ସୋସିଆଲ ମିଡିଆରେ ଲୋକଙ୍କୁ ଅନୁରୋଧ କରିଛନ୍ତି।