ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଯାଉଛି: ଭାଜପା

ଭୁବନେଶ୍ୱର,୩।୧୨(ବ୍ୟୁରୋ):ଆଇନ ଆଗରେ ସାନ ବଡ଼ କିଛି ନାହିଁ। ପରୀ ଜଣେ ଗରିବ ଅଟୋ ଡ୍ରାଇଭରଙ୍କ ଝିଅ ଥିଲା। ପରୀ ଅପହରଣ ଓ ହତ୍ୟା ଛୋଟ ଘଟଣା ନୁହେଁ। ପରୀକୁ ନ୍ୟାୟ ଦେବା ପର୍ଯ୍ୟନ୍ତ ସରକାରଙ୍କୁ ଚାପରେ ରଖିବା ଲାଗି ବିଧାନସଭାରେ ଲମ୍ବା ସମୟ ଧରି ବିତର୍କର ଆବଶ୍ୟକତା ଥିଲା। ହେଲେ ଏହି ପ୍ରସଙ୍ଗରେ ବିଜେଡି ଓ କଂଗ୍ରେସ ଏକାଠି ହୋଇ ପରୀକୁ ନ୍ୟାୟ ଦେବା ପରିବର୍ତ୍ତେ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଉଥିବା ଭାଜପା ଅଭିଯୋଗ କରିଛି।
ଭାଜପା ରାଜ୍ୟ କାର୍ଯ୍ୟାଳୟରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ, ଏହି ଘଟଣା ୪ମାସ ତଳେ ଘଟିଛି। ଝିଅର କିଡ୍‌ନୀ, ଆଖି ଚୋରି ହୋଇଥିବା ମା’, ବାପା ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆଣିଛନ୍ତି। ସେହିପରି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ପରୀର ବଳାତ୍କାର ହୋଇଛି ନା ନାହିଁ ସେ ନେଇ ଜଣାପଡ଼ିି ନ ଥିବା କହିଛନ୍ତି। ଅନ୍ୟପଟେ ଏହି ଘଟଣାରେ ପରୀର ମା’ ବାପା ଓ ବଡ଼ବାପା ଆଦିଙ୍କ ପଲିଗ୍ରାଫ ଟେଷ୍ଟ ହୋଇଛି। ହେଲେ ଯାହା ନାଁରେ ପରିବାର ଲୋକେ ଅଭିଯୋଗ କରିଛନ୍ତି ସେମାନଙ୍କ ଟେଷ୍ଟ ହୋଇନାହିଁ। ଏହି ଘଟଣାରେ ସ୍ଥାନୀୟ ସରପଞ୍ଚଙ୍କ ସହିତ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କ କଥାବାର୍ତ୍ତାର ଦୁଇଟି ଅଡିଓ ଭାଇରାଲ ହୋଇସାରିଛି। ଯେଉଁଥିରେ ପରୀ ଘରଲୋକେ ଅଭିଯୋଗ ଆଣୁଥିବା ବ୍ୟକ୍ତି ଭୁବନେଶ୍ୱରରେ ମନ୍ତ୍ରୀଙ୍କୁ ଭେଟିଥିବା ସେ ସ୍ବୀକାର କରିଛନ୍ତି। ଏ ନେଇ ମନ୍ତ୍ରୀ ନିଜର ସ୍ପଷ୍ଟୀକରଣ ଦିଅନ୍ତୁ। ଏନ୍‌ସିଆର୍‌ବି ରିପୋର୍ଟ ମୁତାବକ ରାଜ୍ୟରେ ଗତ ୨ବର୍ଷରେ ମୋଟ ୫,୩୨୩ ଶିଶୁ ନିଖୋଜ ରହିଛନ୍ତି। ତେଣୁ ଯଦି ପରୀ ଘଟଣାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ, ତେବେ ଏହାର ଭଲ ପ୍ରଭାବ ସାରା ରାଜ୍ୟରେ ଦେଖିବାକୁ ମିଳିବ। ଏହି ଘଟଣାର ତଦନ୍ତ ସିବିଆଇ ଦ୍ୱାରା କରାଯାଉ। ନଚେତ୍‌ ଭାଜପା ରାଜରାସ୍ତାକୁ ଓହ୍ଲାଇବ ବୋଲି ସମୀର ଚେତାବନୀ ଦେଇଛନ୍ତି।

Share