ଅଭିଯୁକ୍ତଙ୍କୁ ଯାବଜ୍ଜୀବନ କାରାଦଣ୍ଡ

କଟକ ଅଫିସ୍‌,୧।୬: ଜଣେ ନାବାଳିକାଙ୍କୁ ବଳାତ୍କାର, ଗର୍ଭବତୀ ଏବଂ ପରେ ଅପହରଣ କରି ଗର୍ଭପାତ ପାଇଁ ଉଦ୍ୟମ କରିବା ମାମଲାର ବିଚାର କରି କଟକ ସ୍ବତନ୍ତ୍ର ପୋକ୍‌ସୋ ଅଦାଲତ ମଙ୍ଗଳବାର ଅଭିଯୁକ୍ତଙ୍କୁ ଯାବଜ୍ଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହିତ ପୀଡ଼ିତା ଏବଂ ତାଙ୍କ ଶିଶୁପୁତ୍ରର କ୍ଷତିପୂରଣ ବାବଦ ୭ଲକ୍ଷ ଟଙ୍କା ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ଜଣାପଡ଼ିଛି ଯେ, ପୀଡ଼ିତା ନାବାଳିକାଙ୍କ ଘର ଯାଜପୁର ବିଞ୍ଝାରପୁର ଅଞ୍ଚଳରେ ହୋଇଥିବାବେଳେ ସେ ମା’ବାପାଙ୍କ ସହ କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗୁଳିଠାରେ ଏକ ଭଡ଼ାଘରେ ରହୁଥିଲେ। ଅଭିଯୁକ୍ତ ଫୁକନ୍‌ ଓରଫ ଖୋକନ ମାଇତି(୩୩)ଙ୍କ ଘର ପଶ୍ଚିମବଙ୍ଗ ପୂର୍ବ ମେଦିନାପୁରରେ। ସେ ପୀଡ଼ିତାଙ୍କ ଘର ଉପର ମହଲାରେ ରହି ଫେରିବାଲା କାର୍ଯ୍ୟ କରନ୍ତି। ନାବାଳିକାଙ୍କ ମା’ବାପା କାର୍ଯ୍ୟକୁ ଯିବା ପରେ ଅଭିଯୁକ୍ତ ତାଙ୍କୁ ବଳାତ୍କାର କରିଥିଲେ। ଏପରି କି ଏହା କାହାକୁ ଜଣାଇଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ପରେ ନାବାଳିକା ଗର୍ଭବତୀ ହୋଇଥିଲେ। ଏହା ଜଣାପଡ଼ିବା ପରେ ଅଭିଯୁକ୍ତ ନାବାଳିକାଙ୍କ ପରିବାର ଲୋକଙ୍କ ଅଜ୍ଞାତରେ ପୀଡ଼ିତାଙ୍କୁ ଗର୍ଭପାତ କରାଇବା ଉଦ୍ଦେଶ୍ୟରେ କୋଲକତା ନେଇଯାଇଥିଲେ। ନାବାଳିକାଙ୍କୁ ଘରେ ନ ପାଇ ପରିବାର ଲୋକେ ଟାଙ୍ଗୀ ଥାନାରେ ୨୦୧୯ ଅକ୍ଟୋବର ୩୦ତାରିଖରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏନେଇ ଏକ ମାମଲା ରୁଜୁ କରି ପ୍ରାୟ ୧୫ଦିନ ପରେ କୋଲ୍‌କାତା ଅଞ୍ଚଳରୁ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହାର କିଛି ମାସ ପରେ ନାବାଳିକା ଏକ ଶିଶୁପୁତ୍ର ଜନ୍ମ ଦେଇଥିଲେ। ମାମଲାର ଶୁଣାଣି ସମୟରେ ୧୧ଜଣ ସାକ୍ଷୀଙ୍କ ବୟାନ, ଡିଏନ୍‌ଏ ରିପୋର୍ଟ ଏବଂ ବିଭିନ୍ନ ଲିଖିତ ପ୍ରମାଣକୁ ଆଧାର କରି କୋର୍ଟ ଆଇପିସି ଦଫା ୩୬୩, ୩୬୬(ଏ), ୩୭୬(୩) ଏବଂ ପୋକ୍‌ସୋ ଆକ୍ଟର ଦଫା ୬ରେ ଅଭିଯୁକ୍ତଙ୍କୁ ଯାବଜ୍ଜୀବନ କାରାଦଣ୍ଡାଦେଶ ସହ ୧୦ହଜାର ଟଙ୍କା ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି। ମାମଲାକୁ ସ୍ବତନ୍ତ୍ର ସରକାରୀ ଓକିଲ ରମେଶ ଚନ୍ଦ୍ର ମହାନ୍ତି ପରିଚାଳନା କରୁଥିଲେ।

Share