ଚାକିରି କରାଇ ଦେବି କହି ମହିଳାଙ୍କୁ ଠକେଇ, ଜେଲ୍‌ ଗଲେ ଅଭିଯୁକ୍ତ

ଦିଗପହଣ୍ଡି,୧୯ା୧(ଅଶେଷ ନାଥ ମିଶ୍ର): ରାଜ୍ୟ ସରକାରଙ୍କ ତହସିଲ କିମ୍ବା ବ୍ଲକ କାର୍ଯ୍ୟାଳୟରେ ସରକାରୀ ଚାକିରି କରାଇ ଦେବି କହି ଜଣେ ମହିଳାଙ୍କ ନିକଟରୁ ବିଭିନ୍ନ ପର୍ଯ୍ୟାୟରେ ୨ ଲକ୍ଷ ୯୦ ହଜାର ଠକେଇ କରାଯାଇଥିବା ଅଭିଯୋଗ ହୋଇଛି। ଠକେଇର ଶିକାର ମହିଳା ଜଣକ ହେଲେ ବ୍ରହ୍ମପୁର ଗୋସାଇଁ ନୂଆଗାଁ ଥାନା କୌତୁକି ନଗର ୨ୟ ଲେନର ଚନ୍ଦନା ଚୌଧୁରୀ। ସେ ଏନେଇ ଦିଗପହଣ୍ଡି ଥାନାରେ ଗତ ଶନିବାର ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଥାନା କେସ୍‌ ନଂ ନଂ.୩୩/୨୫ ଅନୁଯାୟୀ ମୋକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ। ମହିଳାଙ୍କୁ ଚାକିରି କରାଇ ଦେବାର ମିଥ୍ୟା ପ୍ରତିଶ୍ରୁତି ସହ ଜୀବନରେ ମାରିଦେବାକୁ ଧମକ ଦେବା ଅଭିଯୋଗରେ ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଭୀମପୁର ଶାସନର ଦୀପ୍ତିରଞ୍ଜନ ମିଶ୍ରଙ୍କୁ ରବିବାର ତଦନ୍ତକାରୀ ଅଧିକାରୀ ଏସ୍‌.ଆଇ ଦୁଷ୍ମନ୍ତ କୁମାର ପ୍ରଧାନ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ସନ୍ଧ୍ୟାରେ ଦିଗପହଣ୍ଡି ସବ୍‌ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ୪ ତାରିଖରେ ଅଭିଯୁକ୍ତ ମହିଳାଙ୍କ ନିକଟରେ ବିଶ୍ୱାସ ଜନ୍ମାଇ ଚାକିରି କରାଇଦେବି କହି ପ୍ରଥମେ ୧୯ ହଜାର ଟଙ୍କା ନଗଦ ନେଇଥିଲେ। ପରେ ବିଭିନ୍ନ ପର୍ଯ୍ୟାୟରେ ତାଙ୍କ ନିକଟରୁ ଫୋନ୍‌ ପେ’ ମାଧ୍ୟମରେ ୨ ଲକ୍ଷ ୭୧ ହଜାର ନେଇଥିଲେ। ପରେ ମହିଳା ଜଣକ ଠକେଇର ଶିକାର ହୋଇଥିବା ଜାଣିବା ପରେ ଅଭିଯୁକ୍ତ ଦୀପ୍ତିଙ୍କୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ। ଅଭିଯୁକ୍ତ ଜଣକ ଟଙ୍କା ଫେରସ୍ତ କରାଯିବ ନାହିଁ। ସେ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ପୁଅ ଏବଂ ତାଙ୍କ ଭାଇ ଜଣେ ପୋଲିସ କର୍ମଚାରୀ। ମୋର କିଏ କିଛି କରିପାରିବ ନାହିଁ। ଥାନାର ଦ୍ୱାରସ୍ଥ ହେଲେ ତୋତେ ଜୀବନରେ ମାରିଦେବି ବୋଲି ଧମକ ଦେଇଥିବା ନେଇ ମହିଳା ଜଣକ ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି।