ବବିତାଙ୍କୁ ବିବାହ କରିବାକୁ ଚାହୁଁ ନ ଥିଲେ ଏହି ଅଭିନେତା, କେବଳ କରୁଥିଲେ ଟାଇମ୍‌ ପାସ

ବଲିଉଡ୍‌ ଅଭିନେତା ରଣଧୀର କପୁର ଏବଂ ତାଙ୍କ ଝିଅ କରିସ୍ମା କପୁର ଏବେ ଫିଲ୍ମ ଦୁନିଆରୁ ଦୂରରେ ଅଛନ୍ତି। କିନ୍ତୁ ସେ ରିଆଲିଟି ଶୋ’ରେ ସକ୍ରିୟ ଅଂଶଗ୍ରହଣ କରୁଛନ୍ତି। ନିକଟରେ ରଣଧୀର ତାଙ୍କ ଝିଅ ତଥା ଅଭିନେତ୍ରୀ କରିସ୍ମା କପୁରଙ୍କ ସହ ଲୋକପ୍ରିୟ କମେଡି ଶୋ’ ‘ଦି କପିଲ ଶର୍ମା ଶୋ’ରେ ଯୋଗ ଦେଇଥିଲେ, ଯେଉଁଥିରେ କପିଲ ଶର୍ମା ରଣଧୀର ଏବଂ କରିସ୍ମାଙ୍କ ସହ ଅନେକ ମଜାଦାର କଥା ଶେୟାର କରିଥିଲେ। କେବଳ ଏତିକି ନୁହେଁ, ରଣଧୀର ଏବଂ କରିସ୍ମା ମଧ୍ୟ କପୁର ପରିବାର ସହ ଜଡିତ ମଜାଳିଆ କାହାଣୀ ବର୍ଣ୍ଣନା କରୁଥିବା ଦେଖିବାକୁ ମିଳିଥିଲା। ଶୋ’ରେ ରଣଧୀର ତାଙ୍କ ବ୍ୟକ୍ତିଗତ ଜୀବନ ସହ ଜଡିତ ଏକ ବିଶେଷ କଥା କହିଥିଲେ।

ରଣଧୀର ସ୍ତ୍ରୀ ବବିତାଙ୍କ ସହ ଡେଟିଂ ଦିନକୁ ମନେ ପକାଇ କହିଥିଲେ, ବବିତାଙ୍କ ସହ ଡେଟିଂ ସମୟରେ ସେ ଟାଇମ୍‌ ପାସ କରୁଥିଲେ। କିନ୍ତୁ ତାଙ୍କ ପରିବାର ସଦସ୍ୟ ତାଙ୍କୁ ବବିତାଙ୍କ ସହ ବିବାହ କରେଇ ଦେଇଥିଲେ। ରଣଧୀରଙ୍କ ଏହି କଥା ସେଠାରେ ଉପସ୍ଥିତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

ଏହି ଶୋ’ରେ କପିଲ ରଣଧୀରଙ୍କୁ ପଚାରିଥିଲେ, ରାଜ ଏବଂ କପୁର ପରିବାରକୁ କ’ଣ ତାଙ୍କର ଓ ବବିତାଙ୍କ ସମ୍ପର୍କ ବିଷୟରେ ଜଣାଥିଲା। ରଣଧୀର କହିଥିଲେ, ମୁଁ ବିବାହ କରିବାକୁ ଭାବି ନ ଥିଲି। କେବଳ ଟାଇମ୍‌ ପାସ କରୁଥିଲି। ପରେ ବାପା ପଚାରିଥିଲେ, ତୁମେ ବବିତାଙ୍କୁ ବିବାହ କରିବାକୁ ଚାହୁଁଛ କି ନାହିଁ? ମୁଁ ବବିତାଙ୍କୁ ବିବାହ କରିବାକୁ ଯୋଜନା କରି ନାହିଁ ବୋଲି କହିଥିଲି। ହେଲେ ବାପା କହିଥିଲେ, ସେ ବୁଢ଼ୀ ହେଲା ପରେ ବିବାହ କରିବୁ? ରଣଧୀର ଆହୁରି ମଧ୍ୟ କହିଛନ୍ତି, ସେ ବବିତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇନାହାଁନ୍ତି, କିନ୍ତୁ ଏହି କାମ ବାପା ମା’ ତାଙ୍କ ତରଫରୁ କରିଥିଲେ। ପରେ ଦୁହେଁ ବିବାହ କରିଥିଲେ।

Share