ପୁଅକୁ ନେଇ ଗର୍ବ କଲେ ଅଭିନେତା

ମୁମ୍ବାଇ: ନିଜ ଉଦ୍ୟମ ବଳରେ ବଲିଉଡ୍‌ରେ ପରିଚୟ ସୃଷ୍ଟି କରିଥିବା ଆର୍‌ ମାଧବନ୍‌ଙ୍କ ପାଇଁ ଏକ ଗର୍ବର ମୂହୁର୍ତ୍ତ। କାରଣ ହେଉଛି ତାଙ୍କ ପୁଅ । ନିକଟରେ ୧୬ବର୍ଷୀୟ ବେଦାନ୍ତ ସନ୍ତରଣରେ ମେଡାଲ ଜିତି ମାଧବନ୍‌ଙ୍କୁ ଗର୍ବିତ କରିଛନ୍ତି। ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଥିବା ଜୁନିୟର ନ୍ୟାଶନାଲ ଆକ୍ୱାଟିକ୍‌ ଚାମ୍ପିଅନଶିପ୍‌ରେ ବେଦାନ୍ତ ମହାରାଷ୍ଟ୍ର ପାଇଁ ୭ଟି ମେଡାଲ ଜିତିଛନ୍ତି। ସେଥି ମଧ୍ୟରୁ ୪ଟି ରୌପ୍ୟ ସହ ୩ଟି ବ୍ରୋଞ୍ଜ ରହିଛି। ଟୁଇଟର ବ୍ୟବହାରକାରୀମାନେ ବେଦାନ୍ତଙ୍କ ଏହି ସଫଳତାକୁ ନେଇ ମାଧବନ୍‌ଙ୍କ ପ୍ରଶଂସା କରିଛନ୍ତି।
ବିଗତ କିଛି ଦିନ ମଧ୍ୟରେ ଅନେକ ବଲିଉଡ୍‌ରେ ଅଭିନେତାଙ୍କ ପିଲାମାନେ ବିଭିନ୍ନ ସମସ୍ୟା ଘେରରେ ଦେଖା ଯାଉଥିବା ବେଳେ ମାଧବନ୍‌ଙ୍କ ପୁଅ ଅଲଗା କିଛି କରିଛନ୍ତି। ସେ ପରିବାର ସହ ରାଜ୍ୟକୁ ଗୌରବ ଆଣି ଦେଇଛନ୍ତି। ଅଭିନେତା ତାଙ୍କ ପୁଅକୁ ସବୁ ସୁଯୋଗ ଦେବା ସହ ଉତ୍ସାହିତ କରିଆସିଛନ୍ତି। ପୁଅର ଏଭଳି ସଫଳତାକୁ ନେଇ ସେ ସୋସିଆଲ ମିଡିଆରେ ବେଦାନ୍ତ ଓ ତାଙ୍କ ଟିମ୍‌ର ଫଟୋ ଶେୟାର କରି ନିଜର ଖୁସି ବାଣ୍ଟିଛନ୍ତି।

Share