ପ୍ରଥମ ଦରମା ଚେକ୍‌ ମା’ଙ୍କ ପାଦ ତଳେ ରଖିଥିଲେ ଏହି ଅଭିନେତା

ମୁମ୍ବାଇ: ସବୁ ମା’ଙ୍କ ପାଇଁ ପୁଅର ପ୍ରଥମ ରୋଜଗାର ଅତ୍ୟନ୍ତ ସ୍ବତନ୍ତ୍ର। ସେ ସାଧାରଣ ପିଲା ହୁଅନ୍ତୁ କି ଅଭିନେତା। ପିଲାଙ୍କ ପ୍ରଥମ ରୋଜଗାର ମା-ବାପାଙ୍କୁ ବହୁତ ଖୁସି ଦିଏ। ବଲିଉଡ୍‌ ଅଭିନେତା ରଣବୀର କପୁରଙ୍କ କ୍ଷେତ୍ରରେ ମଧ୍ୟ ଏପରି ଘଟିଥିଲା। ସେ ତାଙ୍କର ପ୍ରଥମ ଦରମାର ଚେକ୍‌ ତାଙ୍କ ମା’ ନୀତୁ କପୁରଙ୍କ ପାତ ତଳେ ରଖିଥିଲେ। ଏହା ପରେ ନୀତୁଙ୍କ ଆଖିରେ ଲୁହ ଆସିଯାଇଥିଲା।

ଯଦିଓ ରଣବୀର ଆଜି ପ୍ରତ୍ୟେକ ଫିଲ୍ମରୁ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି, କିନ୍ତୁ ରଣବୀରଙ୍କ ପ୍ରଥମ ଦରମା କେତେ ଏବଂ ସେତେବେଳେ କେମିତି ଅନୁଭୂତି ଥିଲା ତାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ରଣବୀରଙ୍କ ପ୍ରଥମ ଦରମା ୨୫୦ ଟଙ୍କା ଥିଲା। ଏକ ସାକ୍ଷାତକାରେ ରଣବୀର କହିଥିଲେ, ୧୯୯୬ରେ ତାଙ୍କ ପ୍ରଥମ ଫିଲ୍ମ ‘ପ୍ରେମ୍‌ ଗ୍ରନ୍ଥ’ରୁ ଏହି ଟଙ୍କା ପାଇଥିଲେ। ଯାହାର ଚେକ୍‌ ନେଇ ସେ ତାଙ୍କ ମା’ ନୀତୁଙ୍କ ପାଦ ତଳେ ରଖିଥିଲେ। ଏହା ଦେଖି ଲୁହକୁ ନ ଅଟକାଇ କାନ୍ଦି ଚାଲିଥିଲେ ମା’ ନୀତୁ। ସେ କହିଥିଲେ, ଫିଲ୍ମ ମୁହୂର୍ତ୍ତ ମଧ୍ୟରୁ ଗୋଟିଏ, ଯାହା ମୁଁ ବାସ୍ତବ ଜୀବନରେ ଦେଖିଲି।

ଏ ତ ଗଲା ରଣବୀରଙ୍କ ବ୍ୟକ୍ତିଗତ କଥା। ଯଦି ତାଙ୍କ ଓ୍ବାର୍କଫ୍ରଣ୍ଟ୍‌ କଥା କହିବା ତେବେ ରଣବୀର ତାଙ୍କର ଆଗାମୀ ଫିଲ୍ମକୁ ନେଇ ଚର୍ଚ୍ଚାରେ ଅଛନ୍ତି। ‘ଶମ୍‌ଶେରା’ ଏବଂ ‘ବ୍ରହ୍ମାସ୍ତ୍ର’ ଏହିପରି ଦୁଇଟି ଫିଲ୍ମ ରଣବୀରଙ୍କ ହାତରେ। ପ୍ରାୟ ବର୍ଷକ ପରେ ତାଙ୍କୁ ଏକ ନୂଆ ଅବତାରରେ ଦେଖିବାକୁ ମିଳିବ।

Share