ରାତିରେ କଲେ ଶୁଟିଂ, ସକାଳୁ ହୋଟେଲ୍‌ରୁ ମିଳିଲା ଏହି ଅଭିନେତ୍ରୀଙ୍କ ମୃତଦେହ

ଚଳିତବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ଆସୁଛି। ଅନେକ ଶ୍ରେଷ୍ଠ କଳାକାର ଫିଲ୍ମ ଇଣ୍ଡଷ୍ଟ୍ରି ଛାଡ଼ି ପରଲୋକ ଗମନ କରିଛନ୍ତି। ସେହିପରି ସାଉଥ୍‌ ଇଣ୍ଡଷ୍ଟ୍ରିରେ ବେଶ୍‌ ପରିଚିତି ଲାଭ କରିଥିବା ଭି.ଜେ ଚିତ୍ରାଙ୍କ ମୃତଦେହ ବୁଧବାର ସକାଳୁ ଏକ ହେଟେଲ୍‌ ରୁମ୍‌ରୁ ମିଳିଛି। କୁହାଯାଏ, ଚିତ୍ରା ବିଳମ୍ବିତ ରାତି ପର୍ଯ୍ୟନ୍ତ ଶୁଟିଂ କରିଥିଲେ। ଶୁଟିଂ ପରେ ସେ ହୋଟେଲ ରୁମ୍‌ରେ ରହିଥିଲେ।

ମାତ୍ର ଆଜି ସକାଳୁ ହୋଟେଲର ରିସେପ୍‌ସନିଷ୍ଟ ତାଙ୍କର ମୃତଦେହ ଦେଖିବାକୁ ପାଇଥିଲେ। ପରେ ପୋଲିସକୁ ଏହି ଘଟଣା ସମ୍ପର୍କରେ ଜଣାଥିଲେ। ଚିତ୍ରା ସିରିୟଲରେ ବେଶ୍‌ ଜଣାଶୁଣା। ସେ ଦୀର୍ଘଦିନ ଧରି ସିରିୟଲରେ ଅଭିନୟ କରିଆସୁଥିଲେ। ତାଙ୍କର ଲୋକପ୍ରିୟତା ସିରିୟଲରୁ ହିଁ ଆରମ୍ଭ ହୋଇଥିଲା। ତାଙ୍କ ମୃତ୍ୟୁରେ ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଏହା ଏକ ଆତ୍ମହତ୍ୟା ମାମଲା। ପୋଲିସ କେସ ରୁଜୁ କରି ଯାଞ୍ଚ ଆରମ୍ଭ କରିଛି। ଚିତ୍ରାଙ୍କ ପରିବାର ଚେନ୍ନାଇରେ ରହୁଛନ୍ତି। ଚଳିତବର୍ଷ ଅଗଷ୍ଟ ମାସରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ସହ ତାଙ୍କର ନିର୍ବନ୍ଧ ସରିଥିଲା। ତେବେ କ’ଣ ପାଇଁ ଚିତ୍ରା ଏପରି ପଦକ୍ଷେପ ନେଲେ ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ତାଙ୍କ ପରିବାର ବର୍ଗ ମଧ୍ୟ ଏ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

Share