Advertisement

୧୫ କିଲୋ ଓଜନ ବଢାଇଲେ ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ କ୍ରିତି ସାନନଙ୍କ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଗର୍ଭଧାରଣ ଉପରେ ଆଧାରିତ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ମିମି’ର ଟ୍ରେଲର ଜୁଲାଇ ୧୩ ରେ ମୁକ୍ତିଲାଭ କରିଛି। ଟ୍ରେଲରରୁ ଜବରଦସ୍ତ ପ୍ରତିକ୍ରିୟା ମିଳୁଛି। ଏହି ଫିଲ୍ମରେ କ୍ରିତି ସାନନଙ୍କୁ ପୁଣି ଥରେ ନୂଆ ଲୁକ୍‌ରେ ଦେଖିବାକୁ ମିଳିବ। ଆରମ୍ଭରୁ ଫିଲ୍ମରେ କ୍ରିତି ସାନନଙ୍କ ଲୁକ ଚର୍ଚ୍ଚାରେ ଥିଲା। ଏବେ ଫିଲ୍ମର ନିର୍ମାତାମାନେ ଏହାର ଭିଡିଓ ପ୍ରସ୍ତୁତ କରିଛନ୍ତି। ନେଟଫ୍ଲିକ୍ସ ଦ୍ୱାରା ମୁକ୍ତିଲାଭ କରିଥିବା ଏହି ଭିଡିଓରେ କ୍ରିତଙ୍କ ଏହି ଯାତ୍ରା ଦେଖାଯାଇଛି। ସେ କିପରି ତାଙ୍କ ଫିଟ ଫିଗରକୁ ବଦଳାଇ ପ୍ରାୟ ୧୫ କିଲୋଗ୍ରାମ ଓଜନ ବଢାଇଛନ୍ତି ତାହା ମଧ୍ୟ ଦେଖିବାକୁ ମିଳୁଛି। ଭିଡିଓ ଆରମ୍ଭରେ ଫିଲ୍ମର ନିର୍ଦ୍ଦେଶକ କହିଛନ୍ତି ଯେ, ଯଦି ମିମି ଲୋକଙ୍କ ସହ ଯୋଡି ହେବାକୁ ଚାହାଁନ୍ତି, ତେବେ ତାଙ୍କୁ ୧୫ କିଲୋଗ୍ରାମ ଓଜନ ବଢାଇବାକୁ ପଡିବ। ଏହା ପରେ, ସେଟରେ ଥିବା ସମସ୍ତେ କ୍ରିତିଙ୍କ ଖାଦ୍ୟ ଏବଂ ପାନୀୟର ଯତ୍ନ ନିଅନ୍ତି। ଭିଡିଓରେ, ସେ ସବୁବେଳେ ଖାଉଥିବା ଦେଖିବାକୁ ମିଳିଥାଏ । ଶେଷରେ, କ୍ରିତି କହିଛନ୍ତି ଯେ, ତାଙ୍କୁ ଯାହା ବାରଣ କରାଯାଇଥିଲା ସେ ଖାଇଲେ। ଫିଲ୍ମର ନିର୍ମାଣ ଭିଡିଓ ବହୁତ ମଜାଦାର ହୋଇଛି।
ନିକଟରେ ରିଲିଜ ହୋଇଥିବା ଟ୍ରେଲରରେ ଜଣାପଡିଛି ଯେ କ୍ରିତି ସାନନ ମଧ୍ୟବିତ୍ତ ପରିବାର ଝିଅର ଚରିତ୍ରରେ ଅଭିନୟ କରୁଛନ୍ତି, ଯିଏ ଟଙ୍କା ପାଇଁ ବିଦେଶୀ ଦମ୍ପତିଙ୍କ ସନ୍ତାନର ସରୋଗେଟ ମା’ ହେବାକୁ ରାଜି ହୋଇଛନ୍ତି। ଏହା ପରେ, ଯେତେବେଳେ ଦମ୍ପତି ସେମାନଙ୍କର ନିଷ୍ପତ୍ତି ପରିବର୍ତ୍ତନ କରନ୍ତି ଏବଂ କୁହନ୍ତି ଯେ ସେମାନେ ଆଉ ସନ୍ତାନ ଚାହୁଁ ନାହାଁନ୍ତି, ଯାହା ପରେ ମିମିଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡେ।
ଟ୍ରେଲରରେ ପଙ୍କଜ ତ୍ରିପାଠୀ, ସୁପ୍ରିୟା ପାଠକ ଏବଂ କ୍ରିତି ସାନନଙ୍କ ପରି ସମସ୍ତ କଳାକାରଙ୍କ ଅଭିନୟ ବେଶ୍‌ ଆକର୍ଷଣୀୟ ହୋଇଛି। କ୍ରିତି ସାନନ ତାଙ୍କ କ୍ୟାରିୟରରେ ପ୍ରଥମ ଥର ପାଇଁ ଏଭଳି ଚରିତ୍ରରେ ଅଭିନୟ କରୁଥିବା ଦେଖିବାକୁ ମିଳିଛି। ଯାହା ବହୁତ ଅଲଗା ଏବଂ ଚ୍ୟାଲେଞ୍ଜିଂ। ଫିଲ୍ମଟି ଜୁଲାଇ ୩୦ରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିବାକୁ ଯାଉଛି।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share