୧୮ ବର୍ଷରେ ବିବାହ କରିଥିଲେ ଏହି ଅଭିନେତ୍ରୀ, ୧୯ ବର୍ଷରେ ହୋଇଥିଲା ମୃତ୍ୟୁ

ମୁମ୍ବାଇ: ୧୯୯୩ରେ ଏକ ଖବର ସମସ୍ତଙ୍କୁ ଚକିତ କରିଦେଇଥିଲା। ଜାଣିବାକୁ ମିଳିଥିଲା, ମାତ୍ର ୧୯ ବର୍ଷର ଅଭିନେତ୍ରୀ ଦିବ୍ୟା ଭାରତୀ ଆଉ ନାହାନ୍ତି। ଏହି ଖବର ଯିଏ ଶୁଣିଲେ, ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଗଲେ। କାରଣ ଦିବ୍ୟା ଏମିତି ଏକ ଅଭିନେତ୍ରୀ ଯିଏ କି, ବଲିଉଡ୍‌ରେ ପାଦ ଦେବାର ମାତ୍ର ୩ ବର୍ଷ ଭିତରେ ୨୧ଟି ଫିଲ୍ମ କରି ସେତେବେଳେ ଚର୍ଚ୍ଚାକୁ ଆସିଥିଲେ। କିନ୍ତୁ ଏହି ଖୁସି ବେଶିଦିନ ରହି ନ ଥିଲା। ୫ ଏପ୍ରିଲ ୧୯୯୩ରେ ସେ ସବୁଦିନ ପାଇଁ ବିଦାୟ ନେଇ ଆର ଦୁନିଆକୁ ଚାଲିଗଲେ।

ଏକ ଦୁର୍ଘଟଣାରେ ତାଙ୍କର ପ୍ରାଣହାନି ଘଟିଥିଲା। ୨୫ ଫେବୃୟାରୀ ୧୯୭୪ରେ ମୁମ୍ବାଇର ଅଣ-ଫିଲ୍ମ ପରିବାରରେ ଜନ୍ମଗ୍ରହଣ କରିଥିବା ଦିବ୍ୟା ତାଙ୍କ ଷ୍ଟାଇଲ୍‌ ଏବଂ ଚମତ୍କାରିତାରେ ଏପରି ଯାଦୁ ସୃଷ୍ଟି କରିଥିଲେ ଯେ, ୩ ବର୍ଷ ମଧ୍ୟରେ ସାରା ଦେଶରେ ଲୋକପ୍ରିୟତା ହାସଲ କରିଥିଲେ। ଦିବ୍ୟା  ୧୯୯୨ରେ ଫିଲ୍ମ ‘ବିଶ୍ୱାତ୍ମା’ ସହିତ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହାପୂର୍ବରୁ ଦିବ୍ୟା ଏକ ତେଲୁଗୁ ଫିଲ୍ମ ‘ବବ୍‌ଲି ରାଜା’ ମଧ୍ୟ କରିଥିଲେ। ହସ, ଖୁସି ଜୀବନରେ ପରିପୂର୍ଣ୍ଣ ଚୁଲ୍‌ବୁଲି ଦିବ୍ୟାଙ୍କ ମୃତ୍ୟୁ ପୂରା ବଲିଉଡ୍‌କୁ ସ୍ତବ୍ଧ କରିଦେଇଥିଲା।

ଦିବ୍ୟାଙ୍କ ମୃତ୍ୟୁ ଆଜି ବି ରହସ୍ୟ ହୋଇ ରହିଛି। ତେବେ ଦିବ୍ୟାଙ୍କ ମୃତ୍ୟୁ ପରେ ଅନେକ ବର୍ଷ ଧରି ଗୁଜବ ଲାଗି ରହିଲା। ମୃତ୍ୟୁର ପ୍ରାୟ ୧୧ ମାସ ପୂର୍ବରୁ ସାଜିଦ ନାଦିଆଡ୍‌ଓ୍ବାଲାଙ୍କୁ ବିବାହ କରି ଦିବ୍ୟା ତାଙ୍କର ନୂତନ ଜୀବନ ଆରମ୍ଭ କରିଥିଲେ। ବିବାହର ୧୧ ମାସ ପରେ ତାଙ୍କ ମୃତ୍ୟୁ ହେବାରୁ ସାଜିଦଙ୍କ ଉପରକୁ ମଧ୍ୟ ଅଙ୍ଗୁଳି ଉଠିଥିଲା। ଅନେକ ପ୍ରକାରର ମିଥ୍ୟା ଖବର ପ୍ରଚାରିତ ହୋଇଥିଲା। ତେବେ ଦିବ୍ୟାଙ୍କ ମା’ ଏବଂ ବାପା ଏହାକୁ ସମ୍ପୂର୍ଣ୍ଣ ଭାବେ ଅସ୍ବୀକାର କରିଥିଲେ। ପୋଲିସ ମଧ୍ୟ ଦୀର୍ଘ ସମୟ ଧରି ଏହି ଘଟଣାର ଅନୁସନ୍ଧାନ କରି ଶେଷରେ ୧୯୯୮ମସିହାରେ ମାମଲା ବନ୍ଦ କରି ଦେଇଥିଲା। ତଥାପି ଆଜି ପର୍ଯ୍ୟନ୍ତ ଦିବ୍ୟାଙ୍କ ମୃତ୍ୟୁ ରହସ୍ୟ ସମାଧାନ ହୋଇପାରି ନାହିଁ।

Share