ଡେଙ୍ଗୁରେ ଆକ୍ରାନ୍ତ ଏହି ଅଭିନେତ୍ରୀ

ମୁମ୍ବାଇ: ବର୍ତ୍ତମାନ ଚାରିଆଡ଼େ ଡେଙ୍ଗୁ ରୋଗ ବ୍ୟାପିଛି। ଏଥିରୁ ବି ବାଦ୍‌ ପଡୁନାହାନ୍ତି ସେଲିବ୍ରିଟି। ଆଜିକାଲି ସଲମାନ ଖାନଙ୍କ ଜଣେ ଅଭିନେତ୍ରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଅଭିନେତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ଖରାପ। ସେ ହେଉଛନ୍ତି ଅଭିନେତ୍ରୀ ଜରିନ ଖାନ। ଏହି ଅଭିନେତ୍ରୀଙ୍କଠାରେ ଡେଙ୍ଗୁ ପଜିଟିଭ୍‌ ମିଳିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅଭିନେତ୍ରୀ ତାଙ୍କ ପ୍ରଶଂସକଙ୍କ ସହ ଶେୟାର କରି କହିଛନ୍ତି, ଏକ ଡାକ୍ତରୀ ଟିମ୍‌ ତାଙ୍କର ସମସ୍ତ ପରୀକ୍ଷା କରୁଛନ୍ତି।

ଖବର ଅନୁଯାୟୀ, ଅଭିନେତ୍ରୀ ଦୀର୍ଘଦିନ ଧରି ସ୍ବାସ୍ଥ୍ୟ ସମ୍ବନ୍ଧୀୟ କିଛି ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସେ ଶରୀରରେ ପ୍ରବଳ ଯନ୍ତ୍ରଣା ଅନୁଭବ କରୁଥିଲେ ଏବଂ ଖୁବ୍‌ ଜ୍ୱରରେ ମଧ୍ୟ ପୀଡ଼ିତ ଥିଲେ। ବୁଧବାର ଜରିନଙ୍କ ସ୍ବାସ୍ଥ୍ୟ ଯାଞ୍ଚ ପରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ଅଭିନେତ୍ରୀ ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଅପଡେଟ୍‌ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ବର୍ତ୍ତମାନ ତାଙ୍କ ଅବସ୍ଥା ସୁଧୁରୁଛି। ଏହା ସହିତ ଅଭିନେତ୍ରୀ ମଧ୍ୟ ତାଙ୍କ ପ୍ରଶଂସକଙ୍କୁ ଏକ ନିବେଦନ କରିଛନ୍ତି।

ସେ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ ଡେଙ୍ଗୁ ରୋଗକୁ ରୋକିବା ପାଇଁ ସତର୍କତା ଅବଲମ୍ବନ କରିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି, ସେମାନଙ୍କ ଚାରିପାଖରେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଏପରି ପୋଷାକ ପିନ୍ଧନ୍ତୁ ଯେ ମଶା ସେମାନଙ୍କୁ କାମୁଡ଼ି ପାରିବେ ନାହିଁ।

Share