ଟିକା ନେଇ ଟ୍ରୋଲ୍‌ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିଚାଲିଛି। ଏଥିରୁ ରକ୍ଷା ପାଇବା ପାଇଁ ସମଗ୍ର ଦେଶରେ ଟିକାକରଣ କାର୍ଯ୍ୟ ଜୋରସୋରରେ ଚାଲିଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ଟିକା ନେଉଛନ୍ତି। ତେବେ ଟିକା ନେଇ ବଲିଉଡ୍‌ ଗାୟିକା ତଥା ଅଭିନେତ୍ରୀ ଦିବ୍ୟା ଖୋସଲା କୁମାର ଟ୍ରୋଲ୍‌ ହୋଇଛନ୍ତି। କାରଣ ଟିକା ନେବା ସମୟରେ ଦିବ୍ୟା ମୁହଁରେ ମାସ୍କ ଦେଇ ନ ଥିଲେ। ଯାହାକୁ ନେଇ ତାଙ୍କୁ ଟ୍ରୋଲର ସାମ୍ନା କରିବାକୁ ପଡ଼ିିଛି।

ଦିବ୍ୟା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଟିକା ନେବା ସମୟର ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି, ଟିକା ନେବା ସମୟରେ ସେ ମୁହଁରେ ମାସ୍କ ଦେଇନାହାନ୍ତି। ଏଥିସହିତ ଭିଡିଓରେ ‘ଚକ୍‌ ଦେ ଇଣ୍ଡିଆ’ର ଟାଇଟଲ ଗୀତ ବାଜୁଛି। ଭିଡିଓ ଶେୟାର କରି ଦିବ୍ୟା ତାଙ୍କ ପ୍ରଶଂସକମାନଙ୍କୁ କରୋନା ହରାଇବାକୁ ନିବେଦନ କରୁଛନ୍ତି। ସେ ଏଥିରେ କ୍ୟାପଶନ ଲେଖିଛନ୍ତି, ଆଜି ମୁଁ ପ୍ରଥମ ଡୋଜ୍‌ ଟିକା ନେଲି। ଆପଣ ସମସ୍ତେ ବି ନିଅନ୍ତୁ। ପ୍ରଶଂସକଙ୍କୁ କରୋନା ସଚେତନତା ସୃଷ୍ଟି କରୁଥିବା ଏହି ଅଭିନେତ୍ରୀ ଜଣକ ନିଜେ ମୁହଁରେ ମାସ୍କ ଦେଇ ନ ଥିଲେ। ଯେଉଁଥିପାଇଁ ଲୋକେ ତାଙ୍କୁ ଟ୍ରୋଲ କରିବାରେ ପଛାଉନାହାନ୍ତି।

ଦିବ୍ୟା ବଲିଉଡ୍‌ର ଜଣେ ଭଲ ଗାୟିକା, ଅଭିନେତ୍ରୀ, ନିର୍ଦ୍ଦେଶିକା ଏବଂ ନିର୍ମାତା ମଧ୍ୟ। ଅନେକ ଫିଲ୍ମରେ ସେ ଅଭିନୟ କରିଛନ୍ତି।

Share