ପ୍ରଥମ ଦେଖାରେ ଶାହିଦଙ୍କୁ ଭଲ ପାଇ ବସିଥିଲେ ଏହି ଅଭିନେତ୍ରୀ, ଦୁଇ ମାସ ଯାଏ ପଛରେ ପଡ଼ି…

ବମ୍ବେ: ଦିଲ୍ଲୀରେ ଜନ୍ମ ହୋଇଥିଲେ ହେଁ ମୁମ୍ବାଇ ପାଲଟିଛି ନୂଆ ଠିକଣା। ମା’ବାପା ଅଲଗା ହେବା ପରେ ବାପାଙ୍କସହ ସ୍ବପ୍ନର ସହରକୁ ଚାଲିଆସିଥିଲେ ଅଭିନେତା ଶାହିଦ କପୁର। ୨୦୦୩ରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହାପରେ ଅନେକ ସୁପରହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି ସେ। ୨୦୧୮ରେ ରିଲିଜ୍‌ ହୋଇଥିବା ‘ପଦ୍ମାବତ୍‌’ ଏବଂ ‘କବିର ସିଂହ’ ବେଶ୍‌ ଚର୍ଚ୍ଚିତ ହେବା ସହ ନୂଆ କିର୍ତ୍ତିମାନ ସ୍ଥାପନ କରିଥିଲା। ଆସନ୍ତୁ ଜାଣିବା ଶାହିଦଙ୍କ ପ୍ରେମ ଜୀବନ ସହ ଜଡ଼ିତ କିଛି ଜଣାଅଜଣା କଥା।

ଶାହିଦ ଏବଂ ପୂର୍ବ ପ୍ରେମିକା କରିନା କପୁର ଖାନ୍‌ ୨୦୦୪ରେ ଫିଲ୍ମ ‘ଫିଦା’ରେ କାମ କରିଥିଲେ। ଏହାର ଶୁଟିଂ ସମୟରେ ସତସତିକା ଶାହିଦଙ୍କ ଉପରେ ଫିଦା ହୋଇଯାଇଥିଲେ ବେବୋ। ଧିରେ ଧିରେ ଏହା ପ୍ରେମରେ ପରିଣତ ହୋଇଥିଲା। ଶାହିଦଙ୍କୁ ପାଇବା ପାଇଁ ପାଗଳପ୍ରାୟ ହୋଇଯାଇଥିଲେ କରିନା। ଦୁଇମାସ ଯାଏ ତାଙ୍କ ପଛରେ ପଡ଼ିଯାଇଥିଲେ। ମେସେଜ୍‌ କରିବା ସହ ବାରମ୍ବାର ଫୋନ୍‌ କରୁଥିଲେ। ଶାହିଦଙ୍କୁ ଭେଟିବାକୁ ଅନୁରୋଧ କରୁଥିଲେ। ତାଙ୍କୁ ନିଜଆଡୁ ପ୍ରପୋଜ୍‌ ମଧ୍ୟ କରିଥିଲେ। ହେଲେ ଅଭିନେତ୍ରୀଙ୍କୁ ଭାଉ ଦେଉ ନ ଥିଲେ ଅଭିନେତା। ଏପରି କିଛି ମାସ ଚାଲିବା ପରେ ବେବୋଙ୍କୁ ହଁ କହିଥିଲେ ଶାହିଦ।

୨୦୦୭ରେ ଉଭୟଙ୍କ ବ୍ରେକ୍‌ଅପ୍‌ ହୋଇଥିଲା। ଏହାପରେ କରିନା ସୈଫଙ୍କ ପ୍ରେମରେ ପଡ଼ି ବିବାହ କରିନେଇଥିଲେ। ଏହା ଖୁବ୍‌ ଆଘାତ ଦେଇଥିଲା ଶାହିଦଙ୍କୁ। ସେମାନଙ୍କୁ ଏକାଠି ଦେଖି ସେ ଦୁଃଖି ହୋଇଯାଉଥିଲେ। ହେଲେ ଯାହା ସତ ତାହାକୁ ସ୍ବିକାର କରିବାର ସମୟ ଆସିଛି ବୋଲି ସେ ଭାବିଥିଲେ। ଉଭୟଙ୍କ ଖଟାମିଠା ସ୍ମୃତିକୁ ହୃଦୟରେ ରଖି ସେ ଆଗକୁ ବଢ଼ିବାକୁ ଚାହାନ୍ତି ବୋଲି କହିଥିଲେ। ଏବେ ସେ ମୀରା ରାଜପୁତଙ୍କୁ ବିବାହ କରି ବେଶ୍‌ ଖୁସିରେ ଅଛନ୍ତି। ଅପରପକ୍ଷେ କରିନା ଏବେ ଦ୍ୱିତୀୟ ଥର ପାଇଁ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି।

Share