ମାଲକାନଗିରି/ଚିତ୍ରକୋଣ୍ଡା,୨ା୭(ଡି.ଏନ.ଏ.): ସେ ଯେତେବେଳେ ସମୟ ପାଆନ୍ତି ଗାଁକୁ ଚାଲିଯାନ୍ତି। ଆଉ ଗାଁରେ ନିଜ ଚାଷଜମିରେ ଚାଷ କରନ୍ତି। ଚାଷ କାମ ଯାହାର କି ଆନନ୍ଦ ତାହାର ଉକ୍ତିକୁ ଅନୁଭବ କରି ନିଜ ଜୀବନରେ ତା’ର ପ୍ରୟୋଗ କରିଛନ୍ତି ଏହି ବ୍ୟକ୍ତି ଜଣକ। ସେ ଜଣେ ସାଧାରଣ ଲୋକ ନୁହନ୍ତି। ସେ ହେଉଛନ୍ତି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ତହସିଲର ଅତିରିକ୍ତ ତହସିଲଦାର ଅଶୋକ କୁମାର ମୁଦୁଲି। ଜଣେ ପ୍ରଶାସନିକ ଅଧିକାରୀ ହୋଇ ମଧ୍ୟ ଅଶୋକ ଯେତେବେଳେ ନିଜ ଗାଁ କୋରାପୁଟ ଜିଲାର ରାଇସିଂହକୁ ଯାଆନ୍ତି ଜମିକୁ ଯାଇ ଚାଷ କାମରେ ଲାଗିପଡନ୍ତି।
ଚାଷୀ ପରିବାରରେ ଜନ୍ମ ହୋଇଥିବା ଅଶୋକ ପିଲାବେଳୁ ବାପା ବିଭୀଷଣ ମୁଦୁଲି ଚାଷ କରୁଥିବା ଦେଖିଛନ୍ତି। ଚାଷ ପ୍ରତି ତାଙ୍କର ରହିଛି ଦୁର୍ବଳତା। ଚାକିରି ତାଙ୍କର ପେସା ଆଉ ଚାଷ କରିବା ଏକ ନିଶା। ଚାଷରୁ ତାଙ୍କୁ ବହୁତ ଆନନ୍ଦ ମିଳେ। ଯିଏ ଯେଉଁଠି ଯେଉଁ ସ୍ଥିତିରେ ଥିଲେ ମଧ୍ୟ ଚାଷକୁ ଭୁଲିବା ଉଚିତ ନୁହେଁ ବୋଲି କହନ୍ତି ଏହି ପ୍ରଶାସନିକ ଅଧିକାରୀ। ଏତେବଡ ପଦବୀରେ ଥାଇ ଚାଷ କରିବା ବର୍ତ୍ତମାନର ଯୁବପିଢ଼ିଙ୍କ ପାଇଁ ଆଗାମୀ ଦିନରେ ନିଶ୍ଚିତ ପ୍ରେରଣା ସୃଷ୍ଟି କରିବ।