ପୁରୀ ଅଫିସ,୧୨।୭: ରଥ ଉପରେ ସୋମବାର ତିନି ଦିଅଁଙ୍କ ଅଧରପଣା ନୀତି ସମ୍ପାଦିତ ହୋଇଛି। ରାଘବଦାସ ମଠ, ବଡ଼ ଓଡ଼ିଆ ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୋଟିଏ ଲେଖାଏ ରଥରେ ଦିଅଁଙ୍କୁ ଅଧରପଣା ଲାଗି କରାଯାଇଛି। ପାଣିଆ ଆପଟ ସେବକମାନେ ଅଧର ହାଣ୍ଡିରେ ପାଣି ଭର୍ତ୍ତି କରିଥିଲେ। ସାଚି, ଛେନା, ସର, ନବାତ, କ୍ଷୀର, କଦଳୀ, ଲବଙ୍ଗ, ଗୁଜୁରାତି ଆଦି ଦ୍ରବ୍ୟରେ ପଣା ପ୍ରସ୍ତୁତ ହୋଇଥିଲା। ମହାସୁଆରମାନେ ପଞ୍ଚଉପଚାରରେ ପଣା ପୂଜା କରିଥିଲେ। ଭୋଗ ପରେ ପାର୍ଶ୍ୱ ଦେବଦେବୀ ଓ ଚଣ୍ଡୀଚାମୁଣ୍ଡାଙ୍କୁ ସନ୍ତୁଷ୍ଟି କରିବା ଉଦ୍ଦେଶ୍ୟରେ ରଥ ଉପରେ ଅଧରହାଣ୍ଡି ଭଙ୍ଗାଯାଇଥିଲା। ଏହି ନୀତି ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଏହି ନୀତି ପରେ ଅନ୍ୟାନ୍ୟ ନୀତି ଶେଷ କରାଯାଇ ରାତ୍ର ପହୁଡ଼ ସମ୍ପାଦିତ ହୋଇଥିଲା। ଅଧରପଣା ନୀତି ଶୃଙ୍ଖଳିତ ଭାବେ ସମ୍ପାଦିତ ହୋଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ କହିଛନ୍ତି।