ପୁନର୍ବିଚାର ଆବେଦନକୁ ଖାରଜ କଲେ ଏଡିଜେ

ନିଶ୍ଚିନ୍ତକୋଇଲି/ସାଲେପୁର, ୯।୧୨(ସ୍ବ.ପ୍ର/ଡି.ଏନ୍‌.ଏ.): କଟକ ଜିଲା ମାହାଙ୍ଗା ଡବଲ ମର୍ଡର ଘଟଣାରେ ପୋଲିସକୁ ଲାଗିଛି ଝଟ୍‌କା। ହତ୍ୟା ଘଟଣାର ସାନି ତଦନ୍ତ ରିପୋର୍ଟ ଏବଂ ସିଡିଆର୍‌ ଦାଖଲ ସହ ମାହାଙ୍ଗା ଆଇଆଇସିଙ୍କୁ ନୋଟିସ ଜାରି ନେଇ ସାଲେପୁର ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଥମ ଶ୍ରେଣୀ(ଜେଏମ୍‌ଏଫ୍‌ସି) କରିଥିବା ନିର୍ଦ୍ଦେଶ ବିରୋଧରେ ଅତିରିକ୍ତ ଜିଲା ଦୌରାଜଜ୍‌ (ଏଡିଜେ)ଙ୍କ ନିକଟରେ ହୋଇଥିବା ପୁନର୍ବିଚାର ଆବେଦନ ବୁଧବାର ଖାରଜ ହୋଇଛି। ଆବେଦନ ଖାରଜ ପରେ ପୋଲିସ ପାଇଁ ଅଡୁଆ ବଢିଥିବାବେଳେ ସରକାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଜଣାପଡ଼ିଛି। ତେବେ ଏହି ମାମଲାରେ ମାହାଙ୍ଗା ଆଇଆଇସି ରିପୋର୍ଟ ଦେବାରେ କାହିଁକି ଦିନ ଗଡ଼ାଉଛନ୍ତି, ତାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଜୋର ଧରିଛି।
ପ୍ରକାଶ ଯେ, ଜାନୟାରୀ ୨ ତାରିଖରେ ମାହାଙ୍ଗା ଥାନା ନୃତ୍ତାଙ୍ଗ ପଞ୍ଚାୟତର ଭାଜପା ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂ ବରାଳକୁ ହତ୍ୟା କରାଯାଇଥିଲା। ଅଭିଯୁକ୍ତ ତାଲିକାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମ ରହିଥିଲେ ସୁଦ୍ଧା ପରବର୍ତ୍ତୀ ସମୟରେ ପୋଲିସ ତାଙ୍କ ନାମକୁ ଚାର୍ଜଶିଟରୁ କାଟି ଦେଇଥିଲା। ଏହାକୁ ବିରୋଧ କରି କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ପ୍ରୋଟେଷ୍ଟ ପିଟିଶନ ଦାୟର କରିଥିଲେ। ଉକ୍ତ ପିଟିସନ ଶୁଣାଣି କରି ଅଗଷ୍ଟ ୨୬ ତାରିଖରେ ସାନି ତଦନ୍ତ ରିପୋର୍ଟ ଦାଖଲ ପାଇଁ ମାହାଙ୍ଗା ଥାନା ଅଧିକାରୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଥାନା ଅଧିକାରୀ ରିପୋର୍ଟ ଦାଖଲ କରିବା ପରିବର୍ତ୍ତେ ବାରମ୍ବାର ସମୟ ନେଇଥିଲେ। ଏପରି କି ବ୍ୟକ୍ତିଗତ ହାଜିରା ପାଇଁ ହୋଇଥିବା ନିର୍ଦ୍ଦେଶକୁ ପାଳନ କରି ନ ଥିଲେ। ଫଳରେ ଗତ ୪ତାରିଖରେ ଜେଏମ୍‌ଏଫ୍‌ସି ପୁନଃ ତଦନ୍ତ ରିପୋର୍ଟ ଓ ସିଡିଆର ଆସନ୍ତା ୧୦ତାରିଖ ପୂର୍ବାହ୍ନ୧୦.୩୦ ସୁଦ୍ଧା ଦାଖଲ କରିବା ସହ କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବ ସେନେଇ ମାହାଙ୍ଗା ଆଇଆଇସିଙ୍କୁ ନୋଟିସ ଜାରି କରିଥିଲେ। ତେବେ ଏସ୍‌ପିଙ୍କ ଚିଠି ଓ ମାହାଙ୍ଗା ଥାନା ଅଧିକାରୀଙ୍କ ସତ୍ୟପାଠକୁ ଆଧାର କରି ଜେଏମ୍‌ଏଫ୍‌ସି କୋର୍ଟଙ୍କ ଏହି ଆଦେଶକୁ ପୁନର୍ବିଚାର ନିମନ୍ତେ ସରକାରଙ୍କ ପକ୍ଷରୁ ଆଇନଜୀବୀ ସନ୍ତୋଷ ମୁନ ଏଡିଜେଙ୍କ କୋର୍ଟରେ ୨ଟି ପୃଥକ୍‌ (ନଂ. ୫/୨୧) ଓ (ନଂ. ୬/୨୧) ରିଭିଜନ ପିଟିିଶନ ଦାୟର କରିଥିଲେ। ମଙ୍ଗଳବାର ଉକ୍ତ ଆବେଦନର ଶୁଣାଣି ହୋଇ ରାୟ ସଂରକ୍ଷିତ ଥିଲା। ବୁଧବାର ଉକ୍ତ ୨ ଆବେଦନକୁ ଖାରଜ କରି ଦେଇଛନ୍ତି।

Share