ଜଙ୍ଗଲ ବିଭାଗ ଅନୁମତି ବିନା ଗଛ କାଟିଲା ପ୍ରଶାସନ

ମାହାଙ୍ଗା,୨୨ା୧(ଯଯାତି ସିଂହ): ତହସିଲ କାର୍ଯ୍ୟାଳୟ ପରିସରରେ ଥିବା ଲକ୍ଷାଧିକ ଟଙ୍କା ମୂଲ୍ୟର ଆକାଶୀ ଓ ତାଳଗଛକୁ ତରବରିଆ ଭାବେ କମ୍‌ ଦାମ୍‌ରେ ନିଲାମ କରି କାଟି ଦିଆଯାଇଛି। ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଗଛ କାଟିବା ପାଇଁ ଜଙ୍ଗଲ ବିଭାଗର ଅନୁମତି ନିଆଯାଇ ନ ଥିବା ଜଣାପଡ଼ିଛି।
୧୫ରୁ ଊର୍ଦ୍ଧ୍ୱ ବଡ଼ ଆକାଶୀ ଓ ତାଳଗଛକୁ ମାତ୍ର ୬ରୁ ୭ ହଜାର ଟଙ୍କା ମଧ୍ୟରେ ନିଲାମ କରାଯାଇଥିବା ଅଭିଯୋଗ ହୋଇଛି। ନିଲାମ ପାଇଥିବା ବ୍ୟକ୍ତି ତରବରିଆଭାବେ ଗଛଗୁଡ଼ିକୁ କାଟି ଟ୍ରାକ୍ଟର ଯୋଗେ ଉଠାଇ ନେଉଥିବାବେଳେ ସ୍ଥାନୀୟ ଅଳିଯୋଡା ଗ୍ରାମବାସୀମାନେ ଏହାକୁ ବିରୋଧ କରି କାଠ ନେବାକୁ ବାରଣ କରିଥିଲେ। ଏଥିସହ ଗାଡିରୁ କାଠ ଅନଲୋଡ କରି ଦେଇଥିଲେ। ସୂଚନା ଅନୁଯାୟୀ, ତହସିଲ କାର୍ଯ୍ୟାଳୟର ପଛପଟ ସୀମାକୁ ଲାଗିଥିବା ସ୍ଥାନରେ କିଛି ଆକାଶୀ,ତାଳଗଛ ଓ ମୂଲ୍ୟବାନ ଗଛ ଲାଗିଥିଲା। ତେବେ ତହସିଲର ପ୍ରାଚୀର ନିର୍ମାଣ ଆଳ ଦେଖାଇ ପ୍ରଶାସନ ଏହି ଗଛଗୁଡିକୁ ଅତି କମ୍‌ ଦାମ୍‌ରେ ନିଲାମ କରିଦେଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ନିଲାମ ପାଇଁ ସର୍ବସାଧାରଣରେ ବିଜ୍ଞପ୍ତି ଦିଆ ନ ଥିବା ସେମାନେ କହିଛନ୍ତି। କଟକ ଜିଲାପାଳ ଓ ଜଙ୍ଗଲ ବିଭାଗ ଅଧିକାରୀ ଏହାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି। ଏ ସମ୍ପର୍କରେ ତହସିଲଦାର ରବି ନାରୟଣ ଆଚାର୍ଯ୍ୟ କହିଛନ୍ତି, ପ୍ରାଚୀର ନିର୍ମାଣ ହେବା ପାଇଁ ଏହି ଗଛଗୁଡିକୁ କଟାଯାଇଛି। ଗଛ ନିଲାମ ସମ୍ପର୍କରେ ପଚାରିବାରୁ କେତେ ଟଙ୍କାରେ ହୋଇଛି ମନେ ନ ଥିବା କହିଥିଲେ।