ପ୍ରଶାସନ ଶୁଣିଲାନି, ରାସ୍ତା ତିଆରି କଲେ ଗ୍ରାମବାସୀ

ଲଙ୍ଗଳେଶ୍ୱର,୨୨।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅଧୀନ ସାଉଡ଼ି ପଞ୍ଚାୟତର ମନସା ଛକ ରାସ୍ତାକୁ ଗ୍ରାମବାସୀ ନିଜ ଉଦ୍ୟମରେ ତିଆରି କରିଛନ୍ତି। ଜଣେ ପୂର୍ବତନ ସରପଞ୍ଚ କଂକ୍ରିଟ୍‌ ରାସ୍ତାକୁ ବିଳମ୍ବିତ ରାତିରେ ଜେସିବି ଲଗାଇ ଉଚ୍ଛେଦ କରିଦେବା ପରେ ଦୀର୍ଘ ମାସ ହେଲା ଯାତାୟାତ ପାଇଁ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ସାଉଡ଼ି, ବଳଙ୍ଗ, ପଞ୍ଚୁପାଲି ୩ଟି ପଞ୍ଚାୟତକୁ ସଂଯୋଗ କରୁଥିବା ଏହି ରାସ୍ତା ଅଞ୍ଚଳର ପ୍ରମୁଖ ରାସ୍ତା ହୋଇଥିବାରୁ ହଜାର ହଜାର ଲୋକ ଏହା ଉପରେ ନିର୍ଭର କରନ୍ତି। ସରକାର କିମ୍ବା ପ୍ରଶାସନ ରାସ୍ତା ନିର୍ମାଣ ଲାଗି ହେଉଥିବା ଦାବି ପ୍ରତି କର୍ଣ୍ଣପାତ ନ କରିବାରୁ ସ୍ଥାନୀୟ ସମିତି ସଭ୍ୟ କମଳାକାନ୍ତ ମଲ୍ଲିକଙ୍କ ନେତୃତ୍ୱରେ ଗ୍ରାମବାସୀ ଓ ମନସା କମିଟିର ସଦସ୍ୟମାନେ ମିଶି ନିଜସ୍ବ ଅର୍ଥ ଓ ପରିଶ୍ରମରେ ରାସ୍ତା ତିଆରି କରିଛନ୍ତି। ଗ୍ରାମବାସୀଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ଗୌତମ ପାତ୍ର, ଗ୍ରାମ ମୁଖ୍ୟ ତପନ କୁମାର ମହାନ୍ତି, ପ୍ରକାଶ ମହାନ୍ତି, ସୁଶୀଲ ସନ୍ଦିବିଗ୍ରହ, ଗକୁଳ ସାମନ୍ତ, ବସନ୍ତ ହାଜିରା, ବରେନ ମଣ୍ଡଳ, ଶଙ୍କର ସାହୁ, କାହ୍ନୁ ଚରଣ ଦାସ, ଚନ୍ଦନ ବେହେରା, ଝାଡ଼େଶ୍ୱର ଦାସ ପ୍ରମୁଖ ରାସ୍ତା ନିର୍ମାଣ କରିଥିଲେ।

Share