ରାସ୍ତାରେ ଟ୍ରେଞ୍ଚ ଖୋଳିଲା ପ୍ରଶାସନ

ଖଇରା, ୧।୫ (ଡି.ଏନ.ଏ.) ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୁଆ ପାହାଡରେ ଖଣି ଲୁଟେରାଙ୍କୁ ଲଗାମ୍‌ ଦେବାକୁ ପ୍ରଶାସନ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିଛି। ରାତିଅଧିଆ ଚୋରାଚାଲଣ ଓ ବ୍ଲାଷ୍ଟିଂ ରୋକିବାକୁ ରାଜସ୍ବ ବିଭାଗ ତରଫରୁ ପାହାଡ ସଂଲଗ୍ନ ରାସ୍ତାରେ ଟ୍ରେଞ୍ଚ ଖୋଳାଯାଇଛି। କେବଳ ସେତିକି ନୁହେଁ ଟ୍ରେଞ୍ଚ ଖୋଳାଯିବା ପୂର୍ବରୁ ବିଭିନ୍ନ ପଥରଖଣିରେ ମହଜୁଦ ଥିବା ମେଟାଲକୁ ଗାଡିରେ ଆଣି ନିଲାମ ଉଦ୍ଦେଶ୍ୟରେ ହାଣ୍ଡିଆହାଟ ନିକଟରେ ଗଚ୍ଛିତ ରଖାଯାଇଛି ା ପ୍ରଶାସନର ଏହି କଡା ପଦକ୍ଷେପ ଖଣି ଚୋରା ଚାଲାଣକାରୀଙ୍କ ବେଆଇନ କାର୍ଯ୍ୟରେ ପ୍ରତିବନ୍ଧକ ଲଗାଯିବା ସହ ହାତୀ ଚଳାଚଳ ସୁଗମ ହୋଇପାରିବ ବୋଲି ପାହାଡ ସଂଲଗ୍ନ ଗ୍ରାମବାସୀ ଆଶା ପ୍ରକଟ କରିଛନ୍ତି ା
ହାତୀ ଚଲାପଥ ମଧ୍ୟରେ ପାହାଡର ୯୭ରୁ ଊର୍ଦ୍ଧ୍ୱ ଖଣି ଆସୁଥିବା ନେଇ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଉପଲବ୍ଧି କରିବା ପରେ ଶାରୀଶୁଆ ପାହାଡରେ ବେଆଇନ ଭାବେ ଚାଲିଥିବା ଖଣି ବ୍ୟବହାର ଉପରେ ୨୦୧୯ରେ ରହିତାଦେଶ ପ୍ରଦାନ କରିଥିଲେ। ହେଲେ ଖଣି ବ୍ୟବହାରକାରୀମାନେ ଏଥିରେ ଭ୍ରୂକ୍ଷେପ ନ କରି ରାତିଅଧିଆ ହଜାର ହଜାର ଟ୍ରିପ ପଥର ବୋଝେଇ ଟ୍ରକ କପ୍ତିପଦା ବାରିପଦା ଦେଇ ବାହାର ରାଜ୍ୟକୁ ଚାଲାଣ କରୁଥିଲେ। ରାଜସ୍ବ ବିଭାଗର କିଛି ତଳିଆ କର୍ମଚାରୀଙ୍କ ସହଯୋଗରେ ଏହି ଲୁଟ୍‌ ଚାଲିଥିବା ଯୋଗୁ ଅଧିକାରୀମାନଙ୍କ ଚଢାଉ ପାଇଁ ଖଣି ଅଞ୍ଚଳରେ ପହଞ୍ଚିବା ପୂର୍ବରୁ ସେମାନେ ଖସି ପଳାଉଥିଲେ। ୩ବର୍ଷ ଧରି କିଛି ହାତଗଣତି ଖଣି ବ୍ୟବହାରକାରୀ ପାହାଡକୁ ଧ୍ୱଂସ କରିବାକୁ ପଛାଉ ନ ଥିଲେ। ପ୍ରଶାସନ ନିରୁପାୟ ହୋଇପଡିଥିଲା। ସମସ୍ତ ଖଣିରେ ୧୪୪ଧାରା ଲାଗୁ ସତ୍ତ୍ୱେ ପ୍ରଶାସନ ସେମାନଙ୍କ ଆଗରେ ଏକ ପ୍ରକାର ହାତ ଟେକି ଦେଇଥିଲା। ଉକ୍ତ ବେଆଇନ କାର୍ଯ୍ୟ ଉପରେ ବାଧ୍ୟ ହୋଇ ଅଙ୍କୁଶ ଲଗାଇବାକୁ ପାହାଡର ବିଭିନ୍ନ ଖଣିରୁ ବିଭିନ୍ନ ଅଞ୍ଚଳକୁ ସଂଯୋଗ କରୁଥିବା ରାସ୍ତାରେ ଟ୍ରେଞ୍ଚ ଖୋଳା କାର୍ଯ୍ୟ ଶୁକ୍ରବାର ଶେଷ ହୋଇଛି ା ସେହିଭଳି ଖଣି ବ୍ୟବହାରକାରୀ ଚାଲାଣ ପାଇଁ ବିଭିନ୍ନ ଖଣିରେ ଗଚ୍ଛିତ ରଖିଥିବା ପଥରଖଣ୍ଡ ଓ ମେଟାଲକୁ ଅଧିକାରୀଙ୍କ ନିର୍ଦ୍ଦେଶରେ ବୋହି ଗୋଟିଏ ସ୍ଥାନରେ ଗଚ୍ଛିତ ରଖିଛି। ଖଇରା ତହସିଲଦାର ମହେନ୍ଦ୍ର କୁମାର ବେହେରା, ଅତରିକ୍ତ ତହସିଲଦାର ସନ୍ଦୀପ ଶୁଭଦର୍ଶନୀ ଧଳ, ରାଜସ୍ବ ନିରୀକ୍ଷକ ଚନ୍ଦ୍ରଶେଖର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଓ ଖଇରା ପୋଲିସ ସହଯୋଗରେ ଏହି ଟ୍ରେଞ୍ଚ ଖୋଳା କାର୍ଯ୍ୟ ଶେଷ ହୋଇଛି ା

Share