ଭଦ୍ରକ ଅଫିସ,୨୪।୪: ୨୦୧୪ରୁ ୨୦୨୨ ପର୍ଯ୍ୟନ୍ତ ଭଦ୍ରକ ଜିଲା ପ୍ରଶାସନ ଭୂମିହୀନ ଓ ଘରଡିହ ନ ଥିବା ପରିବାରକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଆସିଛି। ଚାଷୀ-ମୂଲିଆ ସଂଘର ଭଦ୍ରକ ଜିଲା କମିଟି ପକ୍ଷରୁ ଭୂମିହୀନମାନଙ୍କ ସମସ୍ୟାକୁ ନେଇ ଶୁକ୍ରବାର ଏକ ହୋଟେଲ ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସମ୍ପାଦକ ସୁଶାନ୍ତ ଯେନା ଏହି ଅଭିଯୋଗ ଆଣିଛନ୍ତି। ବାରମ୍ବାର ଜିଲାପାଳଙ୍କ କାର୍ଯ୍ୟାଳୟ ଓ ବିଭିନ୍ନ ତହସିଲ ସମ୍ମୁଖରେ ଧାରଣା ଦେଇ ପ୍ରତିବାଦ ଜଣାଯାଇଥିଲେ ହେଁ ସୁଫଳ ମିଳିପାରୁ ନାହିଁ ବୋଲି ସଂଘ କ୍ଷୋଭ ପ୍ରକାଶ କରିଛି। ଅନ୍ୟମାନଙ୍କ ମଧ୍ୟରେ ପ୍ରଗତିଶୀଳ ମହିଳା ମଞ୍ଚର ଜିଲା ସମ୍ପାଦିକା ଟୁନିଲତା ଯେନା, ଚାଷୀ-ମୂଲିଆ ସଂଘର ଭଦ୍ରକ ବ୍ଲକ ସଭାପତି ପୂର୍ଣ୍ଣ ସିଂ, ଭଣ୍ଡାରିପୋଖରୀ ବ୍ଲକ ସମ୍ପାଦକ ରତ୍ନାକର ବେହେରା ପ୍ରମୁଖ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ।