‘ଠିକ୍‌ ଆକଳନ କରୁନି ପ୍ରଶାସନ’

ସଜନାଗଡ଼, ୩୦।୧୨(ଡି.ଏନ.ଏ.)  ଚଳିତବର୍ଷ ଚକଡ଼ା ପୋକ ସାଙ୍ଗକୁ ଜୱାଦ ବାତ୍ୟା ଓ ଅଦିନିଆ ବର୍ଷା ଯୋଗୁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ସ୍ଥାନୀୟ ପ୍ରଶାସନ ସଠିକ୍‌ ଭାବେ କ୍ଷୟକ୍ଷତି ଆକଳନ କରି ନ ଥିବାରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହାସହ ଚାଷଜମିରେ ଯାହା ବଳକା ଧାନ ଫସଲ ରହିଥିଲା ତାକୁ ମଣ୍ଡିରେ ବିକ୍ରି ପାଇଁ ଚାଷୀମାନେ ଅପେକ୍ଷା କରିଛନ୍ତି। ସବୁ ସ୍ଥାନରେ ଧାନମଣ୍ଡି ଖୋଲିବାରେ ବିଳମ୍ବ ହେଉଥିବାରୁ ଚାଷୀମାନେ ନିରାଶ ହୋଇଛନ୍ତି। ଏହାର ପ୍ରତିବାଦ କରି ବାଲେଶ୍ୱର ଜିଲା ନୀଳଗିରି ଉପଜିଲାପାଳଙ୍କ ଅଫିସ ଆଗରେ ଚାଷୀମାନେ ଧାରଣାରେ ବସିଛନ୍ତି।
ବିଧାୟକ ତଥା ଚାଷୀନେତା ଚିତ୍ତରଞ୍ଜନ ଷଡ଼ଙ୍ଗୀ ଧାରଣାର ନେତୃତ୍ୱ ନେଇଥିଲେ। ନିରଞ୍ଜନ ବାରିକ, କୈଳାଶ ପଣ୍ଡା, ଯଶୋଦା ନନ୍ଦନ ସିଂ, ପ୍ରଫୁଲ୍ଲ ବେହେରା, କୁନା ବାରିକ, ଦିଲ୍ଲୀପ ବାରିକ୍‌, କୁନା ବିଶ୍ୱାଳ, ରବି ପୂଟି ପ୍ରମୁଖ ଧାରଣାରେ ସାମିଲ ହୋଇଥିଲେ। ନୀଳଗିରି ଅତିରିକ୍ତ ତହସିଲଦାର ନିରଞ୍ଜନ ଧଳ ପହଞ୍ଚତ୍ ଆଲୋଚନା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏଥିସହ ଚାଷୀମାନଙ୍କ ପକ୍ଷରୁ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା।