ଗୁହାରି ଶୁଣୁନି ପ୍ରଶାସନ,ଦୁର୍ଦ୍ଦଶାରେ ୬ ପ୍ରାଣୀ

ବୁଗୁଡ଼ା,୧୩ା୭(କାଳି ଚରଣ ଦାଶ) : ଦେଶରେ କେହି ବାସହୀନ ରହିବେ ନାହିଁ ଏବଂ ଭଙ୍ଗା ଦଦରା କୁଡ଼ିଆରେ ଯେପରି କେହି ଦୁର୍ବିଷହ ଜୀବନ ନ ବିତାଇବେ ସେଥିପାଇଁ ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରହିଛି। ଏହି ସରକାରୀ ଯୋଜନା ବାଟ ହୁଡ଼ି ଅବାଟରେ ଯାଉଥିବାର ଜ୍ୱଳନ୍ତ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକର ବରଡ଼ିପଲ୍ଲୀ ଗ୍ରାମରେ। ସେହି ଗ୍ରାମର ଦିନ ମଜୁରିଆ ରାଜେନ୍ଦ୍ର ପାତ୍ର ସ୍ତ୍ରୀ ଓ ୪ ପିଲାଙ୍କୁ ନେଇ ପିପୁଲ୍ସ କଲେଜ ନିକଟସ୍ଥ ଏକ ଭଙ୍ଗା ଦଦରା ଚାଳ ଛପର କୁଡ଼ିଆରେ ଦୁର୍ବିଷହ ଜୀବନ ବିତାଉଛନ୍ତି। ରାଶନ କାର୍ଡରେ ୪ ପିଲାଙ୍କ ନାମ ଚଢ଼ି ନ ଥିବାରୁ କେବଳ ସ୍ବାମୀ ଓ ସ୍ତ୍ରୀଙ୍କୁ ୫ କେଜି ହିସାବରେ ମାସିକ ୧୦ କେଜି ଚାଉଳ ମିଳୁଛି। ୬ ପ୍ରାଣୀ କୁଟୁମ୍ବଙ୍କ ମୁହଁରେ ଆହାର ଜୁଟାଇବାକୁ ରାଜୁଙ୍କୁ ଦିନ ମଜୁରିଆ ଭାବେ ଖଟିବାକୁ ପଡୁଥିବା ବେଳେ ଛପର ଉଡ଼ା ଏବଂ କାଠବଲା ଠେସରେ ଥିବା ଝାଟିମାଟି କାନ୍ଥକୁ ସଜାଡ଼ିବାକୁ ସେ ସକ୍ଷମ ହୋଇପାରୁନାହାନ୍ତି। ତାଙ୍କର ଅବସ୍ଥା ଅସ୍ବଚ୍ଛଳ ଥିବାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ସ୍ତ୍ରୀ ସୁକାନ୍ତି ଜେନା ବ୍ଲକ ପ୍ରଶାସନ ନିକଟରେ ଆବେଦନ କରିଥିଲେ। ଆବେଦନକ୍ରମେ ପ୍ରଶାସନିକ ସର୍ଭେ ପରେ ଯୋଗ୍ୟ ହିତାଧିକାରୀ ତାଲିକାରେ ସୁକାନ୍ତିଙ୍କ ନାମ ରହିଥିଲେ ସୁଦ୍ଧା ଘର ମିଳିପାରୁନାହିଁ। ଗତ କାଳବୈଶାଖୀ ତାଣ୍ଡବ ପରଠାରୁ ବିପଜ୍ଜନକ ଅବସ୍ଥାରେ ରହିଥିବା ଭଙ୍ଗା ଦଦରା କୁଡ଼ିଆରେ ତାଙ୍କର ପରିବାର ମୁଣ୍ଡ ଗୁଞ୍ଜୁଥିବା ବେଳେ ସାମାନ୍ୟ ବର୍ଷା ହେଲେ ଅନ୍ୟ ବାରଣ୍ଡାରେ ଆଶ୍ରୟ ନେବାକୁ ପଡୁଛି। ଗତ ମାସରେ ପରିବାର ଲୋକେ ଶୋଇଥିବା ବେଳେ ଷଷ୍ଠଶ୍ରେଣୀରେ ପଢୁଥିବା ଝିଅ ପୂର୍ଣ୍ଣିମା ସାପକାମୁଡ଼ାର ଶିକାର ହେବା ପରଠାରୁ ସମସ୍ତେ ସେହି ଭଙ୍ଗା କୁଡ଼ିଆରେ ଅସୁରକ୍ଷିତ ଭାବେ ଜୀବନ ବିତାଉଛନ୍ତି। ଜନ ପ୍ରତିନିଧିମାନେ ସୁକାନ୍ତିଙ୍କ କୁଡିଆକୁ ଯାଇ ତାଙ୍କ ପରିବାରର ଦୁର୍ଦ୍ଦଶାକୁ ହୃଦୟଙ୍ଗମ କରି ସରକାର ଆବାସ ଖଣ୍ଡେ ଯୋଗାଇଦେବା ଉଚିତ ବୋଲି କହୁଥିଲେ ହେଁ କୌଣସି ପ୍ରକାର ସାହାଯ୍ୟ କରିପାରୁନାହାନ୍ତି। ପ୍ରଶାସନିକ ପକ୍ଷପାତିତା ଯୋଗୁ ଆବାସ ଯୋଜନା ବାଟବଣା ହୋଇ ଧନିକଙ୍କ ପାଖରେ ଆବାସ ପହଞ୍ଚୁଥିବା ବେଳେ ଗରିବକୁ ନିରାଶ ହେବାକୁ ପଡୁଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଏ ନେଇ ବିଡିଓ ବାସୁଦେବ ନାୟକଙ୍କ ଦୃଷ୍ଟି ଆକର୍ଷଣ କରାଯିବାରେ ସେ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି।