ପଟ୍ଟାମୁଣ୍ଡାଇ, ୨୯ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ କିଛିଦିନ ହେଲା ଗ୍ରୀଷ୍ମ ପ୍ରବାହ ବଢ଼ି ପ୍ରବଳ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଦୈନିକ ତାପମାତ୍ରା ୪୨ରୁ ୪୩ ଡିଗ୍ରୀ ରହୁଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି। ଗ୍ରୀଷ୍ମ ପ୍ରବାହରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ସଚେତନ କରାଯାଉଛି। ମାତ୍ର ବେଆଇନ ନାଲି ଇଟାଭାଟି ପୋଡିବା ସମୟରେ ବାହାରୁଥିବା ନିଆଁ ଓ ଧୂଆଁ ଯୋଗୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ବୃଦ୍ଧି ପାଇ ତାତି ବେଶି ବଢୁଛି। ଏହା ଉପରେ ଜିଲା ପ୍ରଶାସନ ପକ୍ଷରୁ ଅଙ୍କୁଶ ଲଗାଯାଇଥିଲେ ମଧ୍ୟ ଏଠାରେ ବେଆଇନ ଭାବେ ବହୁ ଇଟା ପୋଡା ଯାଉଛି। ଇଟାଭାଟି ପୋଡା ବନ୍ଦ କରିବାକୁ ତହସିଲଦାର ଓ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଦାବି ହୋଇଆସୁଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ପରିବେଶବିତ୍ ଆର୍ତ୍ତତ୍ରାଣ ପାତ୍ର କହିଛନ୍ତି, ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳର ରାସ୍ତା ପାର୍ଶ୍ୱରେ ଇଟାଭାଟି ବେଧଡ଼କ ଭାବେ ଚାଲୁଛି। ଇଟାଭାଟିରୁ ବାହାରୁଥିବା ଧୂଆଁ ପ୍ରଭାବରେ ପୋଡ଼ା କୋଇଲା ପାଉଁଶଗୁଣ୍ଡ ଉଡ଼ି ଗଛପତ୍ରରେ ପଡ଼ିବା ଫଳରେ ଏକ ଆସ୍ତରଣ ସୃଷ୍ଟି ହେଉଛି। ଧୂଆଁ ଯୋଗୁ ବାୟୁମଣ୍ଡଳ ପ୍ରଦୂଷିତ ହେବାରୁ ଆଖପାଖ ଅଞ୍ଚଳରେ ଶିଶୁଙ୍କଠାରୁ ବୃଦ୍ଧାବୃଦ୍ଧମାନେ ଅଣନିଃଶ୍ୱାସୀ ହୋଇପଡୁଛନ୍ତି। ରାଜସ୍ବ କର୍ମଚାରୀମାନେ ଲୋକଦେଖାଣିଆ ଇଟାଭାଟି ମାଲିକଙ୍କ ନିକଟକୁ ଆସି କିଛି ଫାଇନ୍ ଆଦାୟ କରିବା ବଦଳରେ ହାତ ଚିକ୍କଣ କରି ଚୁପ୍ ହୋଇ ଚାଲି ଯାଉଛନ୍ତି। ଚାଷୀ ସୁଶାନ୍ତ ସାମଲ କହିଛନ୍ତି, କେନ୍ଦ୍ରାପଡ଼ା ଏକ କୃଷିପ୍ରଧାନ ଜିଲା ଭାବେ ପରିଚିତ। ପଟ୍ଟାମୁଣ୍ଡାଇ ବ୍ଲକ ଓ ପୌରାଞ୍ଚଳ ପାଖ ଦେଇ ବ୍ରାହ୍ମଣୀ ଓ ଗୋବରୀ ନଦୀର ଅବବାହିକା ଅଞ୍ଚଳରେ ଥିବା ମାଟି ଦୋରସା, ବାଲିଆ ହୋଇଥିବାରୁ ସେଠାରେ ବିଭିନ୍ନ କୃଷିଜାତ ଫସଲ ଓ ପନିପରିବା କରି ଚାଷୀମାନେ ସେମାନଙ୍କ ପରିବାର ପ୍ରତିପୋଷଣ କରିଥାନ୍ତି। ମାତ୍ର କିଛିବର୍ଷ ହେବ ବ୍ୟବସାୟୀମାନେ ନଦୀପଠାରେ ଇଟାଭାଟି କରିବା ସହ ଜିଲା ଓ ଜିଲା ବାହାରକୁ ନାଲି ଇଟା ବିକ୍ରୟ କରୁଛନ୍ତି। ଏହାଦ୍ୱାରା ଶତାଧିକ ଏକର ଚାଷଜମି ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ଏ ଦିଗରେ ତହସିଲଦାର ଓ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହେଉନାହିଁ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ହେଲେ ଚାଷୀମାନେ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସେ ଚେତାବନୀ ଦେଇଛନ୍ତି। ସାମାଜିକ କର୍ମୀ ବିଭୂତି ମହାପାତ୍ର କହିଛନ୍ତି, ବ୍ୟବସାୟୀମାନେ ଖୁଲମଖୁଲା ଜନବସତି ନିକଟରେ ଇଟା ପୋଡ଼ୁଥିବା ବେଳେ ସରକାରୀ ନିୟମକୁ ଫୁ କରି ଉଡାଇ ଦେଉଛନ୍ତି। ତାପମାତ୍ରା ବୃଦ୍ଧି ସାଙ୍ଗକୁ ଇଟାଭାଟି ଧୂଆଁରେ ଜନସାଧାରଣ କଲବଲ ହେଉଥିବା ସ୍ଥାନୀୟ ବାସିନ୍ଦା କହୁଛନ୍ତି। ସରକାରୀ ନିୟମକୁ ମାନୁ ନ ଥିବା ଇଟାଭାଟି ମାଲିକମାନଙ୍କ ଉପରେ ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି। ଅନ୍ୟ ପକ୍ଷରେ ରାଜସ୍ବ ଅଧିକାରୀମାନେ କମ୍ ପରିମାଣର ଇଟା ଦର୍ଶାଇ ରାଜସ୍ବ କାଟୁଥିବା ନେଇ ସ୍ଥାନୀୟ ଲୋକେ କହୁଛନ୍ତି। ଏ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ପଚାରିବାରେ ଇଟାଭାଟିଗୁଡିକ ବନ୍ଦ କରିବାକୁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।