ପ୍ରଶ୍ରୟ ଦେଉଛି ପ୍ରଶାସନ

ବଇଣ୍ଡା,୧୯।୪(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକରେ ହେଉଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ଦୁର୍ନୀତି ହେଉଛି। ବ୍ଲକ ପ୍ରଶାସନ ସବୁବେଳେ ସମିତିସଭ୍ୟମାନଙ୍କୁ ଅଣଦେଖା କରି କୁଜି ନେତାଙ୍କ ଜରିଆରେ ଏହି ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବା ମଙ୍ଗଳବାର ଅନୁଷ୍ଠିତ ପଞ୍ଚାୟତ ସମିତି ବୈଠକରେ କେତେଜଣ ସମିତି ସଭ୍ୟ ଅଭିଯୋଗ କରିବା ସହ ଏହାର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି। ଏଥିସହ ୬ ମାସ ପରେ ବ୍ଲକ ପ୍ରଶାସନ ବୈଠକ ଡାକୁଥିବାରୁ ଏହି ପଞ୍ଚାୟତ ପ୍ରତିନିଧିମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏପରି କି ବୈଠକରେ ହଟ୍ଟଗୋଳ କରିବା ସହ କେତେଜଣ ସମିତି ସଭ୍ୟ ଅଧାରୁ ଉଠି ପଳାଇଥିବା ସୂଚନା ମିଳିଛି।
ପ୍ରକାଶ ଯେ, କିଶୋରନଗର ବ୍ଲକ ସଭାଗୃହରେ ମଙ୍ଗଳବାର ପଞ୍ଚାୟତ ସମିତି ବୈଠକ ବସିଥିଲା। ଏଥିରେ ବ୍ଲକ ଅଧ୍ୟକ୍ଷା ସୈରେନ୍ଦ୍ରୀ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ଜିଲା ପରିଷଦ ସଭାପତି ବବିତା ପ୍ରଧାନ, ବିଡିଓ ବିନୋଦ ବିହାରୀ ବେହେରା, ଏବିଡିଓ ଦିଲୀପ କୁମାର ସାହୁ, ଜିଲା ପରିଷଦ ସଦସ୍ୟ ବିଷ୍ଣୁପ୍ରିୟା ପ୍ରଧାନ, ଅନୁପମା ସାହୁ, ବ୍ଲକ ଉପାଧ୍ୟକ୍ଷ ଲବ କୁମାର ପ୍ରଧାନ, ଆଠମଲ୍ଲିକ ବିଧାୟକଙ୍କ ପ୍ରତିନିଧି କାଳନ୍ଦୀ ଚରଣ ପ୍ରଧାନଙ୍କ ସମେତ ୨୩ଟି ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ଏବଂ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ। ହେଲେ ବୈଠକ ଆରମ୍ଭରୁ ହୋହଲ୍ଲା ଦେଖିବାକୁ ମିଳିଥିଲା। ପଞ୍ଚାୟତ ସମିତି ବୈଠକ ଠିକ୍‌ ସମୟରେ ବସୁ ନ ଥିବା ଯୋଗୁ ପଞ୍ଚାୟତ ପ୍ରତିନିଧିମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏଥିସହ ବ୍ଲକରେ ଉନ୍ନୟନ କାର୍ଯ୍ୟ ଠପ୍‌ ହୋଇଯାଇଥିବା ଓ କୁଜି ନେତାମାନଙ୍କୁ ନେଇ ଦୁର୍ନୀତି କରାଯାଉଥିବା ଅଭିଯୋଗ କରି ହଣ୍ଡପା, ଠେଲକନାଳୀ, ଗାଁ ବଇଣ୍ଡା ଆଦି ପଞ୍ଚାୟତର ସମିତିସଭ୍ୟମାନେ ଏକ ଅଭିଯୋଗପତ୍ର ବ୍ଲକ ଅଧ୍ୟକ୍ଷାଙ୍କୁ ଦେଇଥିଲେ। ଉକ୍ତ ଅଭିଯୋଗକୁ ତର୍ଜମା କରି ବୈଠକରେ ସ୍ପଷ୍ଟୀକରଣ ରଖିବା ପାଇଁ ସମିତିମାନେ ଦାବି କରିଥିଲେ। ଏହାକୁ ନେଇ ବୈଠକରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ଜଣେ ସରପଞ୍ଚ ଅଭିଯୋଗକାରୀ ସମିତି ସଭ୍ୟମାନଙ୍କୁ ବିରୋଧ କରି ବୈଠକରୁ ବାହାରି ଯିବା ପାଇଁ କହିଥିଲେ। ଏହାକୁ ନେଇ ସମିତି ସଭ୍ୟମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି କେତେଜଣ ସମିତି ସଭ୍ୟ ବୈଠକ ଅଧାରୁ ଉଠି ପଳାଇଥିଲେ। ଦୀର୍ଘଦିନ ପରେ ବୈଠକ ବସିଥିଲେ ହେଁ ପଞ୍ଚାୟତ ପ୍ରତିନିଧିମାନଙ୍କ ମଧ୍ୟରେ ଥିବା ଅସନ୍ତୋଷକୁ ବ୍ଲକ ପ୍ରଶାସନ ସମାଧାନ କରିବାରେ ବିଫଳ ହୋଇଥିଲା। ଏ ନେଇ କିଶୋରନଗର ବିଡିଓ ବିନୋଦ ବିହାରୀ ବେହେରାଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ସେ କୌଣସି ଉତ୍ତର ନ ଦେଇ ପ୍ରସଙ୍ଗକୁ ଏଡାଇ ଦେଇଥିଲେ।