୨୪ରୁ ଗୋପାଳପୁର ବେଳାଭୂମି ମହୋତ୍ସବ: ଟ୍ରାଫିକ୍‌ ମ୍ୟାପ୍‌ ଜାରି କଲା ପ୍ରଶାସନ

ଛତ୍ରପୁର,୨୩ା୧୨(ଡି.ଏନ୍‌.ଏ.): ଚଳିତ ମାସ ୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲା ଗୋପାଳପୁର ବେଳାଭୂମି ମହୋତ୍ସବ ଅନୁଷ୍ଠିତ ହେବ। ଦର୍ଶକ କିଭଳି ଶାନ୍ତିଶୃଙ୍ଖଳାର ସହିତ ବିନା ଦ୍ବିଧାରେ ଗୋପାଳପୁରକୁ ଆସି ମନୋରଞ୍ଜନର ମଜା ନେବେ ସେନେଇ ଜିଲା ପ୍ରଶାସନ ଦ୍ୱାରା ସମସ୍ତ ପ୍ରସ୍ତୁତି କରିବାକୁ ନିର୍ଦେଶ ଦିଆଯାଇଛି । ଟ୍ରାଫିକ୍‌ ସମସ୍ୟା ସୁଧାର ଆଣିବା ନିମନ୍ତେ ଚଳିତ ବର୍ଷ ଅନୁଷ୍ଠିତ ବେଳାଭୂମି ମହୋତ୍ସବରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବ୍ରହ୍ମପୁରରୁ ଦୁଇ ଚକିଆ ଯାନରେ ଆସୁଥିବା ଦର୍ଶକ ନାରାୟଣପୁର ଛକଠାରୁ ହରିପୁର ମଧ୍ୟ ଦେଇ ମହୋତ୍ସବ ସ୍ଥଳରେ କରାଯାଇଥିବା ଦୁଇ ଚକିଆ ପାର୍କିଂ ସ୍ଥଳରେ ନିଜ ନିଜ ଯାନ ରଖି ଅତି ନିକଟରେ ଥିବା ବ୍ରିଜ୍‌ ପାର ହୋଇ ମହୋତ୍ସବ ସ୍ଥଳରେ ସୁବିଧାରେ ପହଞ୍ଚି ପାରିବେ। ବ୍ରହ୍ମପୁର ପଟୁ ଚାରିଚାକିଆ ଯାନରେ ଆସୁଥିବା ଦର୍ଶକ ନାରାୟଣପୁର ଛକ ଦେଇ ଗୋପାଳପୁର ବିଜ୍ଞାପିତ ଅଞ୍ଚଳର ଗୋପାଳପୁର ନୂତନ ବସ୍‌ଷ୍ଟାଣ୍ଡଠାରେ ଏବଂ ଷଣ୍ଢ ଛକ ନିକଟରେ ହୋଇଥିବା ପାର୍କିଂ ସ୍ଥାନରେ ନିଜ ଯାନ ରଖି ମହୋତ୍ସବ ସ୍ଥଳରେ ପହଞ୍ଚି ପାରିବେ। ଗୋପାଳପୁର ମହୋତ୍ସବ ଦେଖିବା ସକାଶେ ଆସୁଥିବା ଜନସାଧାରଣଙ୍କୁ ଅନୁରୋଧ ସେମାନେ ନିଜ ନିଜର ବାମପଟ ରାସ୍ତା ଦେଇ ଯିବା ଆସିବା କରିବେ। ଯାହା ଫଳରେ ଟ୍ରାଫିକ ସମସ୍ୟା ଦେଖାଯିବ ନାହିଁ।

Share