ଜବରଦଖଲ ଉଚ୍ଛେଦ କଲା ପ୍ରଶାସନ

ଅମରପାଲି,୧୦ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ଖଣ୍ଡହତା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧିନସ୍ଥ ଅଡାଲ ଗ୍ରାମରେ ଜବରଦଖଲ ଉଚ୍ଛେଦ କରିଛି ପ୍ରଶାସନ। ଅଡାଲ ଗ୍ରାମଦେଇ ମୁର୍ଷୁଣ୍ଢି -ଖଣ୍ଡହତା-ସୁବଳୟାକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗର ରାସ୍ତାଯାଇଛି। ନୂତନ ଭାବେ ରାସ୍ତା ନିର୍ମାଣ କରାଯାଇଥିଲା। ମାତ୍ର ଅଡାଲ ଗ୍ରାମରେ ରାସ୍ତାପାଶର୍‌ବରେ ଜବରଦଖଲ ଯୋଗୁ ରାସ୍ତା ଅଣଓସାରିଆ ହୋଇ ଯାତାୟାତରେ ସମସ୍ୟା ଦେଖାଦେଉଥିଲା। ରାସ୍ତା ଓସାର କରିବା ପାଇଁ ଜବରଦଖଲ ଉଚ୍ଛେଦ କରିବାକୁ ବୀରମହାରାଜପୁର ତହସିଲଦାରଙ୍କ ନିକଟରେ ଅଭିଯୋଗ ହୋଇଥିଲା। ତେବେ ପ୍ରଶାସନ ପକ୍ଷରୁ ଜବରଦଖଲକାରୀଙ୍କୁ ସରକାରୀ ଜାଗା ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।  ପ୍ରାୟ ୪-୫ ଜଣ ବ୍ୟକ୍ତି ସରକାରୀ ଜାଗାରେ ଘର କରିଥିବାରୁ ନିଜ ନିଜ ଘର ଭାଙ୍ଗି ଦେଇ ଜାଗା ଛାଡ଼ି ଦେଇଥିଲେ। ମାତ୍ର ଆଉ ୫-୭ ଜଣ ବ୍ୟକ୍ତି ସରକାରୀ ଜାଗା ଛାଡ଼ି ନ ଥିଲେ। ବୁଧବାର ବୀରମହାରାଜପୁର ଅତିରିକ୍ତ ତହସିଲଦାର ସ୍ବାଗତ କୁମାର ପଣ୍ଡାଙ୍କ ନେତୃତ୍ୱରେ ଉକ୍ତ ଜବରଦଖଲକାରୀଙ୍କ ରାସ୍ତା ପାଶର୍‌ବରେ ଥିବା ଘରକୁ ଜେସିବି ଲଗାଇ ଭାଙ୍ଗି ଜବରଦଖଲ ଉଚ୍ଛେଦ କରିଛି। ଉଚ୍ଛେଦ ବେଳେ ଅନ୍ୟମାନଙ୍କ ମଧ୍ୟରେ ଖଣ୍ଡହତା ଆରଆଇ ରାଜେନ୍ଦ୍ର ମିଶ୍ର,ଏଆର୍‌ଆଇ ବିଜୟ କୁମାର ବାରା, ପୂର୍ତ୍ତ ବିଭାଗର ଅଧିକାରୀମାନେ, ସୁବଳୟା ଥାନାର ଏସ୍‌ଆଇ ଦୀପ୍ତିରଞ୍ଜନ ଦିଗାଲଙ୍କ ସମେତ ପୋଲିସ ଫୋର୍ସ ମୁତୟନ ଥିଲେ। ତେବେ ଅଞ୍ଚଳରେ ଲଗାତର ଭାବେ ଉଚ୍ଛେଦ ଯୋଗୁ ଜବରଦଖଲ ଉଚ୍ଛେଦକାରୀମାନଙ୍କ ମଧ୍ୟରେ ଛନକା ପଶିଛି।