ନାବାଳିକାଙ୍କ ବିବାହ ରୋକିଲା ପ୍ରଶାସନ: ଅଧିକାରୀମାନଙ୍କ ସହ ପରିବାର ସଦସ୍ୟଙ୍କ ଯୁକ୍ତିତର୍କ

ହିଞ୍ଜିଳିକାଟୁ,୨୩ା୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଅନ୍ତର୍ଗତ ହିଞ୍ଜିଳି ଥାନା ବଳରାମପୁର ଗ୍ରାମର ଜନୈକା ନାବାଳିକାଙ୍କ ବିବାହ ସ୍ଥିର ହୋଇଥିଲା। ଖବର ପାଇ ହିଞ୍ଜିଳିକାଟୁ ବିଡିଓ ସୁବ୍ରତ କୁମାର ଜେନା, ତହସିଲଦାର ପ୍ରଭାତ କୁମାର ପରିଡ଼ା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ, ଥାନା ଆଇଆଇସି ଅଭିମନ୍ୟୁ ଦାସ, ସିଡିପିଓ ଅଂଶୁପା ସାହୁ ପ୍ରମୁଖ ସଂପୃକ୍ତ ଗ୍ରାମରେ ପହଞ୍ଚି ନାବାଳିକାଙ୍କ ପରିବାର ସଦସ୍ୟଙ୍କୁ ବୁଝାଶୁଝା କରିବା ସହ ନାବାଳିକାଙ୍କ ବିବାହକୁ ରୋକିଥିଲେ। ବିଡିଓ କୌଣସି ସୁତ୍ରରୁ ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ସିଡିପିଓ ଓ ତହସିଲଦାରଙ୍କ ସହିତ ଯୋଗାଯୋଗ କରି ବଳରାମପୁର ଗ୍ରାମରେ ପହଞ୍ଚିଥିଲେ। ନାବାଳିକାଙ୍କ ପରିବାର ସଦସ୍ୟ ଓ କିଛି ସମ୍ପର୍କୀୟ ବିବାହ କରିବାକୁ ଥିବା କନ୍ୟା ନାବାଳିକା ନୁହେଁ ସାବାଳିକା ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଆବଶ୍ୟକ ପ୍ରମାଣପତ୍ରରେ ତ୍ରୁଟି ଥିବା ଦର୍ଶାଇ ନାବାଳିକାଙ୍କ ପରିବାର ଓ ସାହି ବାସିନ୍ଦା ଶିଶୁ ସୁରକ୍ଷା ଅଧିକାରୀ ଓ ହିଞ୍ଜିଳିକାଟୁ ପ୍ରଶାସନିକ ଅଧିକାରୀମାନଙ୍କ ସହ ଯୁକ୍ତିତର୍କ କରିଥିଲେ। ବହୁ ସମୟ ପରେ ଅନୈତିକ ବିବାହ ରୋକିବା ପାଇଁ ନାବାଳିକାଙ୍କ ପରିବାରଙ୍କୁ ପ୍ରଶାସନିକ ଅଧିକାରୀମାନେ ବୁଝାଇଥିଲେ।