ପଇଁତରା ମାରୁଛି ପ୍ରଶାସନ, ପୋଲିସ

ଭଦ୍ରକ/ଧାମନଗର,୩୦।୯ (ସନାତନ ରାଉତ/ଦେବେନ୍ଦ୍ର ଆନ୍ଦିଆ/ସନ୍ତୋଷ ମହାପାତ୍ର): ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକ ସହରରେ ଉତ୍ତେଜନା ପରଠାରୁ ୧୬୩ ଧାରା ଜାରି ରହିଥିବା ବେଳେ ଜିଲାରେ ଇଣ୍ଟରନେଟ ସେବା ବନ୍ଦ ରହିଛି। ଶନିବାରଠାରୁ ସୋମବାର ପର୍ଯ୍ୟନ୍ତ ଏହି ସେବା ବନ୍ଦ ରହିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା। ରବିବାର ଏହାକୁ ଆଉ ୪୮ ଘଣ୍ଟା ବଢ଼ାଇ ଦିଆଯାଇଛି। ସୋମବାରଠାରୁ କେବଳ ଲିଜ୍‌ ଲାଇନ ଇଣ୍ଟରନେଟ ସେବା ଯୋଗାଇ ଦିଆଯିବ ବୋଲି ରବିବାର ସନ୍ଧ୍ୟାରେ ଏସ୍‌ପିଙ୍କ କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀରେ ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ୍‌ ନାୟକ ସୂଚନା ଦେଇଛନ୍ତି। ପୋଲିସକୁ ଆକ୍ରମଣ ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଲୋକେସନ ଟ୍ରାକିଂ କରାଯାଇଛି। ମିଥ୍ୟା ଗୁଜବକୁ ବିଶ୍ୱାସ ନ କରି ଶାନ୍ତି ବଜାୟ ରଖିବାକୁ ଜନସାଧାରଣଙ୍କୁ ସେ ନିବେଦନ କରିଛନ୍ତି। ଭଦ୍ରକ ଓ ଧାମନଗର ପୋଲିସ ଛାଉଣୀରେ ରହିଛି। ୧୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ପୋଲିସକୁ ଆକ୍ରମଣ ଘଟଣାରେ ଗିରଫଦାରି ପାଇଁ ରାତିରେ ପୋଲିସ ସାହି ସାହିରେ ପଇଁତରା ମାରୁଛି। ଗିରଫ ଭୟରେ ଅଭିଯୁକ୍ତମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଶନିବାର ରାତିରେ ରାପିଡ୍‌ ଆକ୍ସନ ଫୋର୍ସ ପହଞ୍ଚତ୍ବା ପରେ ରବିବାର ସକାଳେ ସନ୍ଥିଆ ଓ ପୁରୁଣାବଜାର ଅଞ୍ଚଳରେ ଫ୍ଲାଗ୍‌ମାର୍ଚ୍ଚ କରିଛି। ଫ୍ଲାଗ୍‌ମାର୍ଚ୍ଚରେ ଡିଆଇଜି, ଜିଲାପାଳ ଦିଲୀପ ରାଉତରାଏ ଓ ଏସ୍‌ପି ବରୁଣ ଗୁଣ୍ଟୁପାଲି ସାମିଲ ହୋଇଥିଲେ। ପୋଲିସକୁ ଆକ୍ରମଣରେ ଯେଉଁମାନେ ସାମିଲ ଅଛନ୍ତି, ସମସ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଆଇଜି କହିଛନ୍ତି।

ସେହିପରି ବିବାଦୀୟ ପୋଷ୍ଟକୁ ବିରୋଧ କରି ଶୁକ୍ରବାର ସନ୍ଧ୍ୟାରେ ଧାମନଗର ବଜାରରେ ରାସ୍ତାରୋକୋ ସହ ଥାନା ଘେରାଉ କରାଯାଇଥିଲା। ରାସ୍ତାରୋକୋ ଘଟଣାରେ ୭ଜଣଙ୍କୁ ଶନିବାର ରାତିରେ ଧାମନଗର ପୋଲିସ ଗିରଫ କରି ଜେଲ ପଠାଇଛି। ଏହି ଘଟଣାକୁ ନେଇ ପୋଲିସ ନିଜ ଆଡ଼ୁ ମାମଲା (ନଂ.୪୧୯/୨୪) ରୁଜୁ କରିଥିଲା। ଆଇନଶୃଙ୍ଖଳା ପରିସ୍ଥିତିକୁ ଲକ୍ଷ୍ୟ କରି ଧାମନଗର ଓ ଦୋବଲରେ ଜାରି ହୋଇଥିବା ୧୬୩ ଧାରା ବଳବତ୍ତର ରହିଛି। ପୋଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ୬ ପ୍ଲାଟୁନ ପୋଲିସ ଫୋର୍ସ ସହ ଏକ କମ୍ପାନୀ ରାପିଡ୍‌ ଆକ୍ସନ ଫୋର୍ସ ମୁତୟନ କରାଯାଇଛି। ରବିବାର ରାପିଡ୍‌ ଆକ୍ସନ ଫୋର୍ସ ପକ୍ଷରୁ ଧାମନଗର ଏନ୍‌ଏସି ଓ ଦୋବଲରେ ଫ୍ଲାଗ୍‌ମାର୍ଚ୍ଚ କରାଯାଇଥିଲା। ଦୋକାନ ବଜାର, ବିଭିନ୍ନ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି। ସ୍ଥିତି ଅନୁଧ୍ୟାନ ପାଇଁ ରବିବାର ପୂର୍ବାଞ୍ଚଳ ଡିଆଇଜି, ଜିଲାପାଳ ଓ ଜିଲା ଆରକ୍ଷୀ ଅଧୀକ୍ଷକ ପହଞ୍ଚତ୍ ଧାମନଗର, ଦୋବଲର ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳ ବୁଲିଛନ୍ତି। ସ୍ଥିତିରେ ସୁଧାର ଆଣିବା ପାଇଁ ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଆଇନ ମାନିବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛି। ଯେଉଁମାନେ ଥାନା ଘେରାଉ, ରାସ୍ତାରୋକୋ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଡିଆଇଜି ଗଣମାଧ୍ୟମକୁ କହିଛନ୍ତି। ଆଗକୁ ଏହି ଗିରଫ ସଂଖ୍ୟା ବଢ଼ିବ ବୋଲି ଏସ୍‌ଡିପିଓ ତ୍ରିଲୋଚନ ସେଠୀ କହିଛନ୍ତି।

Share