ଅନାଥ ଭଉଣୀଭାଇଙ୍କ ଦାୟିତ୍ୱ ନେଲା ପ୍ରଶାସନ

ବିଶୋଇ, ୧୯।୭ (ଡି.ଏନ.ଏ) ମେଡିକାଲରେ ପହଞ୍ଚିବାରେ ବିଳମ୍ବ କାରଣରୁ ଜଣେ ମହିଳାଙ୍କ ମୃତ୍ୟୁ ହେବା ଘଟଣା ‘ଧରିତ୍ରୀ’ରେ ପ୍ରକାଶ ପାଇବା ପରେ ମୟୂରଭଞ୍ଜ ଜିଲା ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ସୋମବାର ପ୍ରଶାସନିକ ଅଧିକାରୀମାନେ ବିଶୋଇ ବ୍ଲକ ନୂଆଗଁା ପଞ୍ଚାୟତ ଅନ୍ତର୍ଗତ ବଣକାଟି ଗ୍ରାମ ଚାରୁପାଣି ସାହିରେ ରହୁଥିବା ମୃତ ମହିଳାଙ୍କ ଅସହାୟ ଦୁଇ ସନ୍ତାନଙ୍କ ନିକଟରେ ପହଞ୍ଚି ସେମାନଙ୍କ ଦାୟିତ୍ୱ ନେଇଛନ୍ତି। ଅନାଥ ଭଉଣୀଭାଇଙ୍କ ପାଠପଢ଼ା ବ୍ୟବସ୍ଥା କରିବା ସହ ବିଶୋଇ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସେମାନଙ୍କ ନାମ ଲେଖାଇଛନ୍ତି। ଏହାବ୍ୟତୀତ ଉଭୟଙ୍କ ହଷ୍ଟେଲରେ ରହଣି ନିମନ୍ତେ ବ୍ୟବସ୍ଥା କରାଇଛନ୍ତି। ସେହିପରି ଚାରୁପାଣି ସାହିକୁ ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନାରେ ମଙ୍ଗଳବାରଠାରୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ଜିଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି।
ରାସ୍ତା ସଂଯୋଗ ନ ଥିବାରୁ ଗତ ୧୦ ତାରିଖରେ ଚାରୁପାଣି ସାହିର ଅସୁସ୍ଥ ବିଧବା ମହିଳା ମିନୁ ନାଏକ (୩୭)ଙ୍କୁ ଦେଢ଼ କି.ମି ପର୍ଯ୍ୟନ୍ତ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନିଆଯାଇଥିଲା। ବିଳମ୍ବରେ ମେଡ଼ିକାଲରେ ପହଞ୍ଚିବା କାରଣରୁ ମିନୁ ପ୍ରାଣ ହରାଇଥିଲେ। ୪ ବର୍ଷ ପୂର୍ବେ ଦିବ୍ୟାଙ୍ଗ ବାପା ଦାସମାତ ନାଏକଙ୍କୁ ହରାଇବା ସହ ମା’ ମିନୁଙ୍କ ମୃତ୍ୟୁ ପରେ ୧୦ ବର୍ଷର ପୁଅ ସାଲଖୁ ଓ ୭ ବର୍ଷର ଝିଅ ନାଲ ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଥିଲେ। ଅନାଥ ଭଉଣୀଭାଇଙ୍କ ଭବିଷ୍ୟତ ଅନ୍ଧାର ଘେରକୁ ଚାଲିଯାଇଥିଲା। ଜିଲାପାଳ ବିନୀତ ଭରଦ୍ୱାଜଙ୍କ ନିର୍ଦ୍ଦେଶକ୍ରମେ ଜିଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ବାଳଙ୍କ ସମେତ ବିଶୋଇ ବ୍ଲକ ସିଡିପିଓ ଶ୍ରୀମତୀ ସାମଲ, ବଣକାଟି ଗ୍ରାମ ଅଙ୍ଗନଓ୍ବାଡି କର୍ମୀ କେସିନୀ ନାୟକ ପ୍ରମୁଖ ସୋମବାର ଅନାଥ ଭଉଣୀଭାଇଙ୍କ ନିକଟରେ ପହଞ୍ଚିଥିଲେ। ସ୍ଥାନୀୟ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ନାଏକ, ସାମାଜିକ କର୍ମୀ ମଧୁସୂଦନ ନାଏକଙ୍କ ସହିତ ଜିଲା ଶିଶୁ ସୁରକ୍ଷା ଅଧିକାରିଣୀ ଆଲୋଚନା କରି ଉଭୟଙ୍କୁ ପାଠପଢ଼ା ଓ ହଷ୍ଟେଲରେ ରହଣୀ ବ୍ୟବସ୍ଥା କରିଥିଲେ।

Share