ଗଞ୍ଜାମ,୨୪ା୫(ଡି.ଏନ୍.ଏ.): ଆସନ୍ତା ୨୬ରେ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ୟାସ’କୁ ନେଇ ନାନା କଳ୍ପନା ଜଳ୍ପନା ଲାଗିରହିଛି l ବିଶେଷକରି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳଗୁଡ଼ିକର ମତ୍ସ୍ୟଜୀବୀମାନେ କିପରି ସୁରକ୍ଷିତ ରହିବେ ଚିନ୍ତାରେ ପ୍ରଶାସନ। ଏନେଇ ଖୋଦ୍ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ଡାକବାଜି ଯନ୍ତ୍ରଦ୍ୱାରା ବାତ୍ୟା ସମୟରେ ସମୁଦ୍ର ଭିତରକୁ ନ ଯିବା ପାଇଁ କହିଥିଲେ। ଏଥିସହ ଗଞ୍ଜାମ ସହରରେ ମଧ୍ୟ ସଚେତନତା କରାଯାଇଛି। ବାତ୍ୟା ସମୟରେ ନିଜର ସୁରକ୍ଷା ଓ ଅନ୍ୟକୁ ସୁରକ୍ଷିତ ରଖିବାକୁ ସ୍ଥାନୀୟ ଅଞ୍ଚଳର ସ୍ବେଚ୍ଛାସେବୀମାନଙ୍କ ସହ ଆଲୋଚନା କରିଛନ୍ତି ତହସିଲଦାର। ପୋଡ଼ମପେଟା, ଗୋଖରକୁଦା, ପାଳିବନ୍ଧ, ପୁରୁଣାବନ୍ଧ ଆଦି ଗ୍ରାମର ମତ୍ସ୍ୟଜୀବୀ ବାତ୍ୟାକୁ ନ ଡରି ଏହାର ମୁକାବିଲା ନିମନ୍ତେ ବାତ୍ୟା ଆଶ୍ରୟସ୍ଥଳୀ, ଉଚ୍ଚ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦେଇଛନ୍ତି ତହସିଲଦାର।