Advertisement

ମତ୍ସ୍ୟଜୀବୀଙ୍କ ସହ ଆର୍ଯ୍ୟପଲ୍ଲୀ ମତ୍ସ୍ୟ ଜେଟି ବୁଲି ଦେଖିଲେ ପ୍ରଶାସନିକ ଟିମ୍‌

ଛତ୍ରପୁର, ଦିଲ୍ଲୀପ ସାମଲ ୨୧।୩ : ସମୁଦ୍ର ଆଁ କରି ରହିଛି । କେଉଁ ମୁହୁର୍ତ୍ତରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତକୁ ସମୁଦ୍ର ଗିଳି ଦେବ । ଆର୍ଯ୍ୟପଲ୍ଲୀ ପଞ୍ଚାୟତର ପ୍ରାୟ ୨ ରୁ ୩ କିମି ଦୂରରେ ରହିଥିବା ସମୁଦ୍ର ଏବେ ଆଉ ମାତ୍ର ୫୦ ମିଟର ଦୂରରେ ରହିଛି । କେତେବେଳେ ସମୁଦ୍ର ପଞ୍ଚାୟତକୁ ମାଡି ଆସିବ ସେଥିପ୍ରତି ସବୁ ଭୟଭୀତ ରହିଛନ୍ତି । ଏ ଦିଗରେ ସେମାନେ ବାରମ୍ବାର ଜିଲା ପ୍ରଶାସନ ଓ ଗୋପାଳପୁର ପୋର୍ଟ କର୍ତ୍ତୃପକ୍ଷଙ୍କୁ ଅବଗତ କରାଉଥିଲେ ମଧ୍ୟ ଏ ସମ୍ବଦ୍ଧରେ କର୍ଣ୍ଣପାତ କରୁନାହାନ୍ତି କିମ୍ବା ପଞ୍ଚାୟତର ସୁରକ୍ଷା ଦିଗରେ ପଦକ୍ଷେପ ନେଉନାହାନ୍ତି ବୋଲି ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି ।

ଏମିତି ଦିନ ଆସିବ ଗଞ୍ଜାମ ଜିଲ୍ଲା ମାନଚିତ୍ର ରେ ଆର୍ଯ୍ୟପଲ୍ଲୀ ପଞ୍ଚାୟତ ସମ୍ପୂର୍ଣ୍ଣ ଭାବେ ଲୀନ ହୋଇଯିବ ବୋଲି ମଧ୍ୟ ସେମାନେ ଆଶଙ୍କା କରିଛନ୍ତି । ଗୋପାଳପୁର ପୋର୍ଟ ମତ୍ସ୍ୟଜେଟି ସମୁଦ୍ର ମୁହାଣକୁ ସବୁ ଦିନିଆ ଡଙ୍ଗା ଯାତାୟତ ପାଇଁ ଡ୍ରେଜିଙ୍ଗ କରିବା, ମତ୍ସ୍ୟଜେଟିକୁ ଆଲୋକୀକରଣ କରିବା, ପାଣିର ବ୍ୟବସ୍ଥା କରିବା, ମତ୍ସ୍ୟଜେଟିରେ ଥିବା ପୁରୁଣା ଅର୍ଦ୍ଧ ଭଗ୍ନ ଅବସ୍ଥାରେ ଥିବା କାନ୍ଥ ଗୁଡିକ ଭଙ୍ଗା ଯାଇ ସଫା କରିବା ସମେତ ବିଭିନ୍ନ ଦାବି ନେଇ ପଞ୍ଚାୟତ ପକ୍ଷରୁ ଜିଲା ପ୍ରଶାସନର ଅବଗତ କରାଯାଇଛି । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ମଧ୍ୟ ଏ ସମ୍ପର୍କରେ ଜିଲା ପ୍ରଶାସନ ଓ ସରକାରଙ୍କୁ ଅବଗତ କରାଇଛନ୍ତି । ଆଜି ଏନେଇ ପ୍ରଶାସନ ପକ୍ଷରୁ ଏକ ଟିମ ଆର୍ଯ୍ୟପଲ୍ଲୀ ମତ୍ସ୍ୟ ଜେଟି ବୁଲି ଘଟଣାର ଅନୁଧ୍ୟାନ କରିଛନ୍ତି । ଛତ୍ରପୁର ତହସିଲଦାର ଲୋପାମୁଦ୍ରା ରଥ ଓ ଅନ୍ୟାନ୍ୟ ରାଜସ୍ବ କର୍ମଚାରୀ ମାନେ ଜେଟି ଅଞ୍ଚଳ ବୁଲିବା ସହିତ ମତ୍ସ୍ୟଜିବୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ବୁଲି ତଦାରଖ କରିଥିଲେ । ଏହି ଅବସରରେ ମତ୍ସ୍ୟଜୀବୀ ନେତା ଏନ. ଦୀନବନ୍ଧୁ, ପି. ଋାମବାବୁ. କେ. ଦାଶରଥି, ଏମ. ଦିଲ୍ଲୀପ ଓ ବି.ଭୀମସେନଙ୍କ ସମେତ ଅନ୍ୟାନ୍ୟ ଭଦ୍ର ବ୍ୟକ୍ତି ମାନେ ସେମାନଙ୍କ ସମସ୍ୟା ସମ୍ପର୍କରେ ତହସିଲଦାରଙ୍କ ସହ ବୁଲି ଦୃଷ୍ଟି ଆକର୍ଷଣ କରିଥିଲେ ।

 

Subscribe to Dharitri WhatsApp ChannelSubscribe to Dharitri WhatsApp Channel