ଆକ୍ରାନ୍ତ କଏଦୀଙ୍କୁ ଚିକିତ୍ସା ଅବହେଳା ଅଭିଯୋଗ

ଭୁବନେଶ୍ୱର,୨୭।୫(ବ୍ୟୁରୋ): ଝାରପଡା ଜେଲ୍‌ରେ ଏବେ କରୋନା ସ୍ଥିତି ଜଟିଳ ହେବାରେ ଲାଗିଛି। ଶତାଧିକ କଏଦୀ ଆକ୍ରାନ୍ତ ହୋଇଥିବାବେଳେ କେତେଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡିଛି। ଜେଲ୍‌ ଆଇସୋଲେଶନ ଓ୍ବାର୍ଡରେ ଠିକ୍‌ ଭାବେ ଚିକିତ୍ସା ମିଳୁ ନ ଥିବା ଓ ଗୁରୁତରଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉ ନ ଥିବା ଅଭିଯୋଗ ଆଣି କଏଦୀଙ୍କ ପରିବାର ଲୋକେ ବୁଧବାର ଜେଲ୍‌ ସମ୍ମୁଖରେ ହୋହଲ୍ଲା କରିଥିଲେ। ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ପିସିଆର୍‌ ପୋଲିସ ପହଞ୍ଚତ୍ ଥାନା ଭୟ ଦେଖାଇ ତଡ଼ି ଦେବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
କିଛିଦିନତଳେ ବିଚାରାଧୀନ କଏଦୀ ଗଞ୍ଜାମର ତ୍ରିପତି ମହାନ୍ତିଙ୍କ କୋଭିଡ୍‌ରେ ମୃତ୍ୟୁ ଘଟିଥିଲା। ସେହିପରି ଆଜୀବନ ସଜା କାଟୁଥିବା ୭୨ ବର୍ଷୀୟ ବୃଦ୍ଧଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବା ପରେ ସୋମବାର ତାଙ୍କୁ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଅନ୍ୟ ୨୫ଜଣ କଏଦୀଙ୍କର ନିଃଶ୍ୱାସ ନେବାରେ ସମସ୍ୟା ହୋଇଥିଲା। ଏମାନଙ୍କ ମଧ୍ୟରୁ ବିଚାରାଧୀନ କଏଦୀ ଲକ୍ଷ୍ମୀସାଗର ଗାଁର ନିତିନ ନାୟକ ଓ ବିଜୟ ନାଏକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଏ ସମ୍ପର୍କରେ ଅନ୍ୟ କଏଦୀଙ୍କଠାରୁ ଖବର ପାଇବା ପରେ ପରିବାର ଲୋକଙ୍କ ସମେତ ୧୫ରୁ ଊର୍ଦ୍ଧ୍ୱ ସମ୍ପର୍କୀୟ ଜେଲ ସାମ୍ନାରେ ପହଞ୍ଚତ୍ ହୋହଲ୍ଲା କରିଥିଲେ। ଶୀଘ୍ର ସେମାନଙ୍କୁ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ଠିକ ଚିକିତ୍ସା କରାଇବାକୁ ଦାବି କରିଥିଲେ। ପରେ ପିସିଆର ଭ୍ୟାନ୍‌ ସେଠାରେ ପହଞ୍ଚତ୍ ଉତ୍ତେଜିତ ଲୋକଙ୍କୁ ବୁଝାଶୁଝା କରିଥିଲା। ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି ଯେ, ଝାରପଡା ଜେଲରେ କ୍ଷମତାଠାରୁ ଅଧିକ କଏଦୀ ରହୁଥିବାରୁ ସଂକ୍ରମଣ ବ୍ୟାପିଗଲାଣି। ଭଲ ଚିକିତ୍ସକ ନ ଥିବାରୁ ଆଇସୋଲେଶନରେ ଥିବା ଆକ୍ରାନ୍ତଙ୍କର ଠିକ୍‌ ଭାବେ ଚିକିତ୍ସା କରାଯାଉ ନାହିଁ। ଗୁରୁତର ହେଲେ ତୁରନ୍ତ କୋଭିଡ୍‌ ହସ୍ପିଟାଲ ସ୍ଥାନାନ୍ତର କରାଯାଉ ନାହିଁ କି ଆକ୍ରାନ୍ତଙ୍କୁ ଉଷୁମ ଖାଦ୍ୟ ଦିଆଯାଉ ନାହିଁ। ତେଣୁ ସେମାନଙ୍କ ଜୀବନ ପ୍ରତି ବିପଦ ରହିଥିବା ସମ୍ପର୍କୀୟମାନେ କହିଛନ୍ତି।
ଏ ସମ୍ପର୍କରେ ଜେଲ ବିଭାଗ ଆଇଜି ହିମାଂଶୁ ଲାଲ କହିଛନ୍ତି, ଅନ୍ତେବାସୀଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ଝାରପଡା ଜେଲରେ କୋଭିଡ୍‌ ଆକ୍ରାନ୍ତଙ୍କ ଅବସ୍ଥା ଭଲ ରହିଛି। ସେମାନଙ୍କୁ ଆଇସୋଲେଶନରେ ରଖାଯାଇ ଚିକିତ୍ସା କରାଯାଉଛି। ଗୁରୁତର ହେଲେ ତୁରନ୍ତ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇ ଉନ୍ନତମାନର ଚିକିତ୍ସା ଯୋଗାଇଦେବାକୁ ଡିଜି ସନ୍ତୋଷ ଉପାଧ୍ୟାୟଙ୍କ ସ୍ବତନ୍ତ୍ର ନିର୍ଦ୍ଦେଶ ରହିଥିବା ସେ କହିଛନ୍ତି।

Share