ପୂର୍ବତନ ସଂସ୍କୃତି ସଚିବ ଗୋପୀନାଥ ମହାନ୍ତିଙ୍କ ପରଲୋକ

ବାଲେଶ୍ୱର ଅଫିସ, ୧୦।୫: ପୂର୍ବତନ ସଂସ୍କୃତି ବିଭାଗ ସଚିବ ତଥା ବରିଷ୍ଠ ଆଇଏଏସ୍‌ ଅଫିସର ଗୋପୀନାଥ ମହାନ୍ତି(୭୨)ଙ୍କ ସୋମବାର ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ।
ପୂର୍ବତନ ସଚିବ ଗୋପୀନାଥଙ୍କ ଘର ବାଲେଶ୍ୱର ଜିଲା ରେମୁଣା ବ୍ଲକ ଶ୍ରୀଜଙ୍ଗ ପଞ୍ଚାୟତ ଇଙ୍କଡ଼ ସାହିରେ। ସେ ରାଜ୍ୟ ସରକାରଙ୍କର ବହୁ ଉଚ୍ଚ ପଦବୀରେ ଅଧିଷ୍ଠିତ ହୋଇଥିଲେ। ଢ଼େଙ୍କାନାଳ ଜିଲାପାଳଙ୍କଠାରୁ ଆରମ୍ଭ କରି ବିଦ୍ୟୁତ୍‌ ବିଭାଗର ଯୁଗ୍ମ ସଚିବ, ସଂସ୍କୃତି ସଚିବ, ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ ଭଳିି ପଦବୀରେ କାର୍ଯ୍ୟ କରିଥିଲେ। ଗ୍ରାମରେ ଜଗନ୍ନାଥ ମନ୍ଦିର ସହ ବାପାଙ୍କ ନାମରେ ହାଇସ୍କୁଲ, ମା’ଙ୍କ ନାମରେ ଏମ୍‌ଇ ସ୍କୁଲ ଏବଂ ଶ୍ରୀଜଙ୍ଗ ସ୍ବାଧୀନତା ସଂଗ୍ରାମୀ ସ୍ମୃତି ପରିଷଦ ଗଠନ କରିଥିଲେ। ଏଥିସହିତ ରାଜ୍ୟର ବିଭିନ୍ନ ଜିଲାର ସାଂସ୍କୃତିକ ଇତିହାସ ସଙ୍କଳନ କରିଥିଲେ। ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ (ଓଡ଼ିଶା)ର ପ୍ରତିଷ୍ଠାତା ତଥା ସ୍ଥାୟୀ ସଭାପତି, ଫକୀରମୋହନ ସ୍ମୃତି ସଂସଦର ସମ୍ପାଦକ ଭାବେ କାର୍ଯ୍ୟ କରିଆସୁଥିଲେ। ତାଙ୍କ ପ୍ରଚେଷ୍ଟାରେ ଜିଲାରେ ଥିବା ଐତିହାସିକ ଶାନ୍ତିକାନନ ସୌନ୍ଦର୍ଯ୍ୟକରଣ ହୋଇପାରିଥିଲା। ତାଙ୍କ ବିୟୋଗରେ ଫକୀରମୋହନ ସାହିତ୍ୟ ପରିଷଦର ବରିଷ୍ଠ ସଦସ୍ୟ ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଶ୍ରୀଜଙ୍ଗ ସ୍ବାଧୀନତା ସ୍ମୃତି ପରିଷଦର ବରିଷ୍ଠ ସଦସ୍ୟ ତଥା ଅବସରପ୍ରାପ୍ତ ଅଧ୍ୟାପକ କମଳାକାନ୍ତ ଦାସ, ଶ୍ରୀଜଙ୍ଗ ସରପଞ୍ଚ କାର୍ତ୍ତିକ ବାରିକ, ବରିଷ୍ଠ ନାଗରିକ ରବି ରଥ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

Share