ଗୀତିକାର ନେତ୍ରାନନ୍ଦ ବାରିକଙ୍କ ପରଲୋକ

ବଲାଙ୍ଗୀର ଅଫିସ, ୬ା୧୨-ବିଶିଷ୍ଟ ଅଭିନେତା ତଥା ବହୁ ଲୋକପ୍ରିୟ ଗୀତର ସ୍ରଷ୍ଟା ନେତ୍ରାନନ୍ଦ ବାରିକ (୬୮)ଙ୍କ ରବିବାର ଅପରାହ୍ନରେ ତାଙ୍କ ବଲାଙ୍ଗୀର ସଦର ବ୍ଲକ ଖୁଜେନ୍‌ପାଲି ବାସଭବନରେ ପରଲୋକ ହୋଇଯାଇଛି। ସେ ଦୀର୍ଘଦିନ ହେଲା ଅସୁସ୍ଥ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସିନେମା ଓ କଳାପ୍ରେମୀ ମହଲରେ ଶୋକର ଛାୟା ଖେଳିଯାଇଛି। ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ଭୁଖା, ଶଲାବୁଢ଼ା, ଶଲାବୁଢ଼ାର ବଦ୍‌ଲା, ଆଦିମ ବିଚାର, ପାହାଡର ଲୁହ, ବଦ୍‌ଲା, ପାର୍ବତୀଗିରି, ଜୟ ଜଗନ୍ନାଥରେ ବିଭିନ୍ନ ଚରିତ୍ରରେ ସେ ନିଖୁଣ ଅଭିନୟ କରିଥିଲେ। ବହୁ ଲୋକପ୍ରିୟ ଚଳଚ୍ଚିତ୍ର ଗୀତ ଏବଂ ଆକାଶବାଣୀ କେନ୍ଦ୍ରର ସ୍ବୀକୃତିପ୍ରାପ୍ତ ଗୀତିକାର ତଥା ଲୋକପ୍ରିୟ ସମ୍ବଲପୁରୀ-କୋଶଲୀ ଗୀତ ଫଟାଇ ଖାଇଲି ବେଲ ଏବଂ ସଜନୀ ଗୀତର ସେ ସ୍ରଷ୍ଟା ଥିଲେ। ଅନେକ ଚଳଚ୍ଚିତ୍ରରେ ସେ ଆର୍ଟ ଡାଇରେକ୍ଟର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ତାଙ୍କ ବିୟୋଗରେ ପ୍ରଖ୍ୟାତ ସିନେମା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ଗୋପାଳ ପ୍ରଧାନ, ଗୁରୁଶ୍ରୀ ଡ. ଘାସିରାମ ମିଶ୍ର ଗଭୀର ଶୋକପ୍ରକାଶ କରିଛନ୍ତି ା ସୋମବାର ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ କୁହାଯାଇଛି ା