ପ୍ରସାର ଭାରତୀର ପୂର୍ବତନ ଏଡିଜି ଅଭୟ ପାଢ଼ୀଙ୍କ ପରଲୋକ

ଭୁବନେଶ୍ୱର,୨୨।୯(ବ୍ୟୁରୋ): ପ୍ରସାର ଭାରତୀର ପୂର୍ବତନ ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଅଭୟ କୁମାର ପାଢ଼ୀଙ୍କ ସୋମବାର ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ ସପ୍ତାହେ ଧରି ବରଗଡ଼ର ବିକାଶ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଆଇସିୟୁରେ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ୧୯୪୯ ମସିହାରେ ଜନ୍ମଗ୍ରହଣ କରିଥିବା ଅଭୟ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଇଂଲିଶରେ ସ୍ନାତକୋତ୍ତର ଶିକ୍ଷା ଶେଷ କରିଥିଲେ। କିଛିଦିନ ଧରି ଅଧ୍ୟାପକ ଭାବେ କାର୍ଯ୍ୟକରିଥିଲେ। ୧୯୭୫ରେ ପିଏସ୍‌ସିରେ ଉତ୍ତୀର୍ଣ୍ଣ ହୋଇ ପ୍ରସାର ଭାରତୀରେ ଯୋଗଦେଇଥିଲେ। ଦୀର୍ଘ ୩୫ବର୍ଷ ଧରି ସେ ଉଭୟ ଅଲ୍‌ ଇଣ୍ଡିଆ ରେଡ଼ିଓ ଓ ଦୂରଦର୍ଶନରେ କାର୍ଯ୍ୟ କରି ୨୦୦୯ରେ ପ୍ରସାର ଭାରତୀର ଏଡିଜି ଭାବେ ଅବସର ନେଇଥିଲେ। ଏହାପରେ ସେ ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ(ଆଇଆଇଏମସି)ରେ ଜଣେ ଗେଷ୍ଟ ଫାକଲ୍ଟି ଭାବେ ପିଲାଙ୍କୁ ପଢାଉଥିଲେ। ତାଙ୍କ ସଂଯୋଜିତ କାର୍ଯ୍ୟକ୍ରମ ‘ଅନ୍ତର୍ଦୃଷ୍ଟିରେ ପୃଥିବୀ’ ଲାଗି ସେ ବାର୍ଷିକ ଆକାଶବାଣୀ ପୁରସ୍କାର ପାଇଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କଠାରୁ ମଧ୍ୟ ସେ ସମ୍ମାନିତ ହୋଇଛନ୍ତି। ଏହାବ୍ୟତୀତ ଜଣେ ଲେଖକ ଭାବେ ମଧ୍ୟ ତାଙ୍କର ବହୁ ସୁନାମ ରହିଥିଲା। ବିଶେଷକରି ସମ୍ବଲପୁରୀ କଳା ସଂସ୍କୃତି, କୋଶଳୀ ଭାଷା ସମ୍ପର୍କରେ ଲିଖିତ ତାଙ୍କର ବହୁ ପୁସ୍ତକ ହିନ୍ଦୀ ଓ ବଙ୍ଗଳା ଭାଷାରେ ଅନୁଦିତ ହୋଇଛି। ତାଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

Share