ସରକାରୀ ଚାକିରି ଆବେଦନ ବୟସ ସୀମା ୩୨ରୁ ୪୨ ବର୍ଷ ପାଇଁ ଦାବି

କେନ୍ଦୁଝର,୨ା୮(ସ୍ବ.ପ୍ର.): ଦୀର୍ଘ ୨୧ ବର୍ଷ ଧରି ରାଜ୍ୟ ଶାସନ କରୁଥିବା ବିଜେଡି ସରକାର ଆଶାୟୀ ଶିକ୍ଷିତ ଯୁବବର୍ଗଙ୍କ ପାଇଁ ଚାକିରି କ୍ଷେତ୍ରରେ ବୟସସୀମା ବୃଦ୍ଧି ନ କରିବା ଯୋଗୁ ବହୁ ଯୁବବର୍ଗ ଦିଗହରା ହେବା ସହ ବେକାରୀ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ଫଳରେ ମେଧାବୀ ଛାତ୍ରୀଛାତ୍ର ଉପକୃତ ହେବା ସହ ଯୁବବର୍ଗ ଉପଯୁକ୍ତ ଥଇଥାନ ହୋଇପାରିବେ। ଅନ୍ୟ ରାଜ୍ୟରେ ବୟସସୀମା ବୃଦ୍ଧି କରାଯାଇଛି ଯଥା – ଗୋଆରେ ୪୫ ବର୍ଷ, ଆସାମରେ ୪୪ ବର୍ଷ, ଆନ୍ଧ୍ରପ୍ରଦେଶରେ ୪୨ ବର୍ଷ, ଉତ୍ତରପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶରେ ୪୦ ବର୍ଷ ପର୍ଯ୍ୟନ୍ତ ବୟସସୀମା ବୃଦ୍ଧି କରାଯାଇଛି। ଅନୁରୂପ ଭାବେ ଓଡ଼ିଶାରେ ମଧ୍ୟ ଓଡିଶା ସରକାର ସରକାରୀ ଚାକିରି ପାଇଁ ଆବେଦନ କରୁଥିବା ଆଶାୟୀ ଯୁବ ବର୍ଗଙ୍କ ବୟସସୀମା ୩୨ ବର୍ଷରେ ସୀମିତ ନ ରଖି ୪୨ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ ବୋଲି କେନ୍ଦୁଝର ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ଦାବି କରିଛନ୍ତି। ଆଜି କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ନାୟକଙ୍କୁ ଏକ ଦାବିପତ୍ର ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଏଥିରେ ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସ, ପୂର୍ବତନ ଜିଲା କଂଗ୍ରେସ ସଭାପତି ମୋହନ ପରିଡା, ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ସଂଗୀତା ସିଂହ, ଟାଉନ କଂଗ୍ରେସ ସଭାପତି ବସନ୍ତ କୁମାର ଦାସ, ଜିଲା ଛାତ୍ର କଂଗ୍ରେସ ସଭାପତି ଶୁଭମ ରାଜ, ଜିଲା ସୋସିଆଲ ମିଡିଆ ସଂଯୋଜକ ସୁଢଳ କୁମାର ସେଠୀ, କଂଗ୍ରେସ ନେତା କବିନ୍ଦ୍ର ସାହୁ, କୋଦଣ୍ଡଧର ଜେନା, ଚିତ୍ତରଞ୍ଜନ ପରିଡ଼ା, ଯୁବ କଂଗ୍ରେସ ନେତା ପ୍ରୀତମ ମହାନ୍ତି, ସନତ ପାଢ଼ୀ, ସୌମ୍ୟରଞ୍ଜନ ରାଉତ, ସଞ୍ଜୟ ନାଏକ, ଆନନ୍ଦ ମାଝି, ମନୋଜ ବେହେରା, ତପନ ବେହେରା, ଏସ. ଶକ୍ତିସ୍ବରୂପ,ବ୍ରଜବନ୍ଧୁ ପ୍ରଧାନ, ଅଜୟ କୁମାର ନାଏକ, ରୁଦ୍ର ନାରାୟଣ ସାହୁ ଓ ଶେଷଦେବ ବେହେରା ପ୍ରମୁଖ ଯୋଗଦେଇଥିଲେ।