ଫାସ୍‌ଟାଗ୍‌ ଲାଗୁ ହେଲେ ମଧ୍ୟରାତ୍ରରୁ ଆନ୍ଦୋଳନ

ବରଗଡ଼ ଅଫିସ୍‌,୧୫।୨: ସୋମବାର ମଧ୍ୟରାତିରୁ ସମସ୍ତ ଟୋଲପ୍ଲାଜା (ଟୋଲଗେଟ୍‌)ରେ ଫାସ୍‌ଟାଗ୍‌ ଲଗୁ କରିବାକୁ ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା (ଏନ୍‌ଏଚ୍‌ଆଇ) ନିଷ୍ପତ୍ତି ନେଇଛି । ତେବେ ବରଗଡ଼ ନ୍ୟାଶନାଲ ହାଇୱେ ୟୁଜର୍ସ ସଂଘ ଏନ୍‌ଏଚ୍‌ଏଆଇର ଏଭଳି ନିଷ୍ପତ୍ତିକୁ ବିରୋଧ କରିଛି । ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ାରେ ରହିଥିବା ଅଶୋକା ବିଲ୍ଡକନ୍‌ ଟୋଲପ୍ଲାଜାକୁ ବେଆଇନ ବୋଲି ସରକାର ପୂର୍ବରୁ ଘୋଷଣା କରି ସାରିଥିବା ଯୋଗୁ ଏଠାରୁ ବରଗଡ଼ ଜିଲାବାସୀଙ୍କଠାରୁ ଟୋଲ ଟ୍ୟାକ୍ସ ଅସୁଲି କିମ୍ବା ଫାସ୍‌ଟାଗ୍‌ ଲାଗୁକୁ ବରଦାସ୍ତ କରାଯିବ ନାହିଁ ବୋଲି ବରଗଡ଼ ନ୍ୟାଶନାଲ ହାଇୱେ ୟୁଜର୍ସ ସଂଘର ଆବାହକ ଇଂ ଦେବବ୍ରତ ମିଶ୍ର କହିଛନ୍ତି । ତେବେ ବରଗଡ଼ବାସୀଙ୍କଠାରୁ ଟୋଲଟ୍ୟାକ୍ସ ଅସୁଲି କିମ୍ବା ସେମାନଙ୍କଠାରେ ଫାସ୍‌ଟାଗ୍‌ ଲାଗୁ କରାଗଲେ ମଧ୍ୟରାତ୍ରରୁ ଟୋଲ ପ୍ଲାଜାରେ ହାଇୱେ ୟୁଜର୍ସ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ମିଶ୍ର ଚେତାବନୀ ଦେଇଛନ୍ତି।