ଆଜିଠୁ ଖୋଲିବ ଏମ୍ସ ଓପିଡି

ଭୁବନେଶ୍ୱର,୭।୨(ବ୍ୟୁରୋ): ଏମ୍ସ ଭୁବନେଶ୍ୱରରେ ସୋମବାରଠାରୁ ପୁଣି ଓପିଡି ସେବା ଆରମ୍ଭ ହେବ। ସମସ୍ତ ବିଭାଗ କୋଭିଡ୍‌ ପ୍ରତିଷେଧକ ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଦିଆଯାଇଛି। ପୂର୍ବରୁ ରହିଥିବା କାର୍ଯ୍ୟସୂଚୀ ଅନୁସାରେ ସୋମବାରଠାରୁ ଦୈନିକ ଓପିଡି କାର୍ଯ୍ୟ କରିବ। ନୂତନ ରୋଗୀଙ୍କ ପାଇଁ ପ୍ରତ୍ୟେକ ୱାର୍ଡରେ ୪ରୁ ୫ ଲେଖାଏ ଶଯ୍ୟା ମହଜୁଦ୍‌ ରଖିବାକୁ ସମସ୍ତ ବିଭାଗକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ରୋଗୀଙ୍କର ନିୟମିତ ଯାଞ୍ଚ ଆଦି ସେବା ନିମନ୍ତେ ଏମ୍ସ ଭୁବନେଶ୍ୱର ସ୍ବାସ୍ଥ୍ୟ ଆପ୍‌ ଏବଂ ଟେଲିମେଡିସିନ୍‌ ବ୍ୟବସ୍ଥା ଜାରି ରହିବ ବୋଲି ଏମ୍ସ ଭୁବନେଶ୍ୱର ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ଏସ୍‌. ଏନ୍‌. ମହାନ୍ତି ସୂଚନା ଦେଇଛନ୍ତି। ସମସ୍ତ ଆଇପିଡି ଆଡ୍‌ମିଶନ ଏବଂ ଓଟିଗୁଡ଼ିକ ପୂର୍ବପରି କାର୍ଯ୍ୟ କରିବ। କୋଭିଡ୍‌ ପ୍ରସୂତି କକ୍ଷ ଏକସପ୍ତାହ ପର୍ଯ୍ୟନ୍ତ ଚାଲିବ ବୋଲି ଡା. ମହାନ୍ତି କହିଛନ୍ତି।
ସୂଚନାଯୋଗ୍ୟ, କୋଭିଡ୍‌ ସଂକ୍ରମଣ ହଠାତ୍‌ ବୃଦ୍ଧି ଯୋଗୁ ଜାନୁୟାରୀ ୧୭ରୁ ଏମ୍ସ ଭୁବନେଶ୍ୱରରେ ସମସ୍ତ ଓପିଡି ସେବାକୁ ସାମୟିକ ବନ୍ଦ କରିଦିଆଯାଇଥିଲା। ତେବେ ଏହି ସମୟ ମଧ୍ୟରେ ରୋଗୀ ସେବାରେ କୌଣସି ବାଧା ପହଞ୍ଚତ୍ ନାହିଁ। ବନ୍ଦ ଦିନରୁ ୩ ତାରିଖ ପର୍ଯ୍ୟନ୍ତ ଏଠାରେ ୧୨,୪୧୪ଜଣ ରୋଗୀଙ୍କୁ ଚିକିତ୍ସା ପ୍ରଦାନ କରାଯାଇଥିବା ଏମ୍ସ ପକ୍ଷରୁ କୁହାଯାଇଛି।

Share