ଭୁବନେଶ୍ୱର, ୮।୨(ବ୍ୟୁରୋ): ଭୁବନେଶ୍ୱର ଏମ୍ସ ଓପିଡି ସୋମବାର ଖୋଲିଛି। ପ୍ରଥମ ଦିନରେ ୨,୫୦୦ ରୋଗୀ ଚିକିତ୍ସିତ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବଭଳି ସମସ୍ତ ବିଭାଗ ଓପିଡି କାର୍ଯ୍ୟସୂଚୀକୁ ଅନୁକରଣ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ପୂର୍ବଭଳି ସମସ୍ତ ଆଇପିଡି ଆଡ୍ମିଶନ ଏବଂ ଓଟିଗୁଡ଼ିକ କାର୍ଯ୍ୟକାରୀ ହେବ। ନୂଆ ଆଡ୍ମିଶନ ହେଲେ ସନ୍ଦିଗ୍ଧ କୋଭିଡ୍ ରୋଗୀଙ୍କ ପାଇଁ ପ୍ରତି ୱାର୍ଡରେ ୪ରୁ ୫ ଲେଖାଏ ଶଯ୍ୟା ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ରୋଗୀଙ୍କୁ ନିୟମିତ ଯାଞ୍ଚ ପାଇଁ ସ୍ବାସ୍ଥ୍ୟ ଆପ୍ ଏବଂ ଟେଲିମେଡିସିନ ସେବା ଜାରି ରହିବ। କରୋନାର ତୃତୀୟ ଲହର ସଂକ୍ରମଣ ଓ ବହୁ ଡାକ୍ତର ତଥା କର୍ମଚାରୀ ଆକ୍ରାନ୍ତ ହେବା ପରେ ଜାନୁୟାରୀ ୧୭ରୁ ଭୁବନେଶ୍ୱର ଏମ୍ସର ସମସ୍ତ ଓପିଡି ସେବାକୁ ସାମୟିକ ବନ୍ଦ କରାଯାଇଥିଲା। କରୋନା ସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ସୋମବାରଠାରୁ ଏମ୍ସ ଓପିଡି ଖୋଲିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ।